କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ଥାନା ସ୍କ୍ୱାର୍ଡ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ୪୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ୩ଟି ବାଇକ ମଧ୍ୟ ଜବତ ହୋଇଛି।
ଅବକାରୀ ନିରୀକ୍ଷକ ତିଳକ ରାମ ନାୟକଙ୍କ ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି–ତୁରେକେଲା ରାସ୍ତାର ବେହେରା ଛକ ନିକଟରେ ଯାଞ୍ଚ ବେଳେ ମଧ୍ୟପ୍ରଦେଶର ଦୀପକ ଶ୍ରୀବାସ (୨୦)ଙ୍କ ଠାରୁ ୧୩.୩ କେଜି ଗଞ୍ଜେଇ ଓ ଏକ ହୋଣ୍ଡା ବାଇକ ଜବତ କରାଯାଇଥିଲା। ସେହି ସ୍ଥାନରେ ଅନ୍ୟ ଏକ ଚଢ଼ଉରେ ମଧ୍ୟପ୍ରଦେଶର ଦୀପକ କୁମାର ନାପିତ (୩୧)ଙ୍କ ଠାରୁ ୧୩ କେଜି ଗଞ୍ଜେଇ ଓ ଏକ ନମ୍ବରବିହୀନ ଟିଭିଏସ୍ ରାଇଡର ବାଇକ ଜବତ ହୋଇଥିଲା।
ଅନ୍ୟପକ୍ଷରେ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଏସ୍ଆଇ ମନୋରଞ୍ଜନ ମୁଣ୍ଡାଙ୍କ ନେତୃତ୍ୱରେ ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି ଛକ ନିକଟରେ ଚଢ଼ଉ କରାଯାଇଥିଲା। ସେଠାରୁ ଛତିଶଗଡ଼ର ପିତାମ୍ବର ସାରଥୀ ଓ କୃଷ୍ଣ ଗନ୍ଧର୍ବ (୨୦)ଙ୍କ ଠାରୁ ୧୩ କେଜି ଗଞ୍ଜେଇ ଏବଂ ଏକ ପଲସର ବାଇକ ଜବତ କରାଯାଇଛି।
ଏହି ତିନୋଟି ଘଟଣାରେ ପୃଥକ ୩ଟି ମାମଲା ରୁଜୁ କରାଯାଇଥିବା ବେଳେ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ କଣ୍ଟାବାଞ୍ଜି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଝିନାପାଣି ଶବର ଓ ବଙ୍ଗୋମୁଣ୍ଡା ଟିମ୍ର ଅଧିକାରୀମାନେ ସାମିଲ ଥିଲେ।