କେନ୍ଦ୍ରାପଡ଼ା: ବନ୍ୟା ପରିସ୍ଥିତି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ହୃଦୟବିଦାରକ ଖବର। ଅତ୍ୟାବଶ୍ୟକୀୟ ରାସନ୍ ସାମଗ୍ରୀ ନେଇ ଘରକୁ ଫେରୁଥିବା ବେଳେ କାଣି ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବୃଦ୍ଧଙ୍କ ନାମ ସୀତାକାନ୍ତ ମଲିକ। ସେ ଆଳି ଥାନା ଅନ୍ତର୍ଗତ କଳାମାଡା ଶାସନ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୀତାକାନ୍ତ ରାସନ୍ ସାମଗ୍ରୀ ନେଇ ଘରକୁ ଫେରୁଥିବା ସମୟରେ କାଣି ନଦୀ ପାର ହେଉଥିଲେ। ସେହି ସମୟରେ ନଦୀର ପ୍ରଖର ସ୍ରୋତରେ ସେ ସନ୍ତୁଳନ ହରାଇ ଭାସିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ, ମାତ୍ର ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।
ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବୃଦ୍ଧଙ୍କ ସନ୍ଧାନ ପାଇଁ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।