ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ନୀତି ଏବଂ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯିବା ଅଭିଯୋଗକୁ ନେଇ 'କକ୍ରୋଚ୍ ଜନତା ପାର୍ଟି' (CJP) ପୁଣି ଥରେ ଆକ୍ରମଣାତ୍ମକ ମୁଦ୍ରାରେ ନଜର ଆସିଛି। ସଂଗଠନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ସରକାର ନିଜର କଥା ରଖିବେ ନାହିଁ, ତେବେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ।
ସିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ଯୁବବର୍ଗ, ଛାତ୍ର ଏବଂ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ସରକାର ସେଥିରୁ ପଛକୁ ହଟିଯାଉଛନ୍ତି। ଛାତ୍ର ଓ ଯୁବକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ କରାଯାଉଥିବାରୁ ସଂଗଠନ ଏହାର କଡ଼ା ବିରୋଧ କରିଛି।
ସିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ କଡ଼ା ଚେତାବନୀ ଦିଆଯାଇଛି। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୂର୍ବରୁ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ପୁଲିସ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଯେଉଁ ବୁଝାମଣା କିମ୍ବା ଏକ୍ରିମେଣ୍ଟ ହୋଇଥିଲା, ସରକାର ସେଥିରୁ ଓହରି ଯାଇଛନ୍ତି।
ସିଜେପିର ଜାତୀୟ ପ୍ରବକ୍ତା ଆଶୋତୋଷ ରାଙ୍କା ସୋସିଆଲ ମିଡିଆ ଜରିଆରେ କେନ୍ଦ୍ରୀୟ ନେତୃବର୍ଗଙ୍କୁ ସତର୍କ କରାଇ କହିଛନ୍ତି ଯେ, ସରକାର ନିଜ କଥା ରଖୁନାହାନ୍ତି। ବିହାର ଏବଂ ପଶ୍ଚିମବଙ୍ଗ ସମେତ ବିଭିନ୍ନ ସ୍ଥାନରେ ଶହ ଶହ ଛାତ୍ରଙ୍କୁ ଗିରଫ କରାଯିବା ଏବଂ ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ଓ ନଜରବନ୍ଦୀ କରାଯାଉଥିବା ନେଇ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ସଂଗଠନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ଆନ୍ଦୋଳନରତ ଛାତ୍ର ଓ ଯୁବକମାନଙ୍କୁ ମିଳିଥିବା ମିଥ୍ୟା ମାମଲା (FIR) ଗୁଡ଼ିକୁ ଶୀଘ୍ର ପ୍ରତ୍ୟାହାର କରାନଯାଏ ଏବଂ ଗିରଫ ଛାତ୍ରମାନଙ୍କୁ ମୁକ୍ତ କରାନଯାଏ, ତେବେ ସିଜେପି ବାଧ୍ୟ ହୋଇ ପୁଣିଥେରେ ରାଜରାସ୍ତାକୁ ଓହ୍ଲାଇବ ଏବଂ ଧର୍ମଘଟରେ ବସିବ। ଆଗାମୀ ଦିନରେ ଏହି ବିବାଦ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।