ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ତଥା ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମହିଳା ଅଧିକାରୀ ତଥା ୩ ମାସର ଗର୍ଭବତୀ ୩୦ ବର୍ଷୀୟା ନାଜିଆ ଖାନମ୍ଙ୍କ ମୃତଦେହ ତାଙ୍କ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶାଶୂଘର ଲୋକଙ୍କ ନିର୍ଯାତନା ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ନାଜିଆଙ୍କର ଚଳିତ ବର୍ଷ ଅପ୍ରେଲ ୧୧ ତାରିଖରେ ଅଜମ ଅଲି ଖାନଙ୍କ ସହ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ହିଁ ତାଙ୍କୁ ସ୍ୱାମୀ ଅଜମ ଅଲି ଖାନ, ଶାଶୂ ସମୀମ ନିଶା, ଶ୍ୱୁଶୁର ବାବର ଅଲି ଖାନ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଦ୍ୱାରା ନାନାପ୍ରକାର ନିର୍ଯାତନା ଦିଆଯାଉଥିବା ନେଇ ଏଫ୍ଆଇଆର୍ରେ ଦର୍ଶାଯାଇଛି। ନାଜିଆଙ୍କ ପିତା ତୱାବ ଖାନଙ୍କ କହିବା କଥା ଯେ, ତାଙ୍କ ଝିଅକୁ ନିୟମିତ ଭାବେ ଗାଳିଗୁଲଜ, ମାଡ଼ପିଟ୍ ଓ ଘରୁ ବାହାର କରିଦେବା ଭଳି ଧମକ ଦିଆଯାଉଥିଲା।
ଫୋନ୍ରେ ମା’ବାପାଙ୍କୁ ଜଣାଉଥିଲେ ଦୁଃଖ
ନାଜିଆ ତିନି ମାସର ଗର୍ଭବତୀ ଥିଲେ ଏବଂ ସେ ପ୍ରାୟତଃ ଫୋନ୍ ଯୋଗେ ନିଜ ପରିବାର ଲୋକଙ୍କୁ ଶାଶୂଘରର ଅତ୍ୟାଚାର ବିଷୟରେ ଜଣାଇ କାନ୍ଦୁଥିଲେ। ମାତ୍ର ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସି ନଥିଲା। ଗତ ଅଗଷ୍ଟ ୨୧ ତାରିଖ ସକାଳ ପ୍ରାୟ ଚାରିଟା ବେଳେ ନାଜିଆଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ୱାମୀ ପୋଲିସକୁ କହିଛନ୍ତି ଯେ ଝଗଡ଼ା ପରେ ନାଜିଆ ନିଜକୁ ଗୋଟିଏ ରୁମ୍ରେ ବନ୍ଦ କରିଦେଇଥିଲେ ଏବଂ ପରେ ସେ ତାଙ୍କୁ ଝରକାରୁ ଝୁଲିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ପୋଲିସର ତଦନ୍ତ ଜାରି
ଘଟଣାସ୍ଥଳରେ କ୍ରାଇମ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ଡିଡିୟୁ ହସ୍ପିଟାଲର ମର୍ଚ୍ଚରୀକୁ ପଠାଇଛି। ମୃତକଙ୍କ ପରିବାର ଲୋକେ ବିଜୱାସନର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଆଗରେ ନିଜର ବୟାନ ରେକର୍ଡ କରାଇଛନ୍ତି। ଏହି ମାମଲାରେ ପୋଲିସ ଭାରତୀୟନ୍ୟାୟ ସଂହିତା (BNS) ର ଧାରା ୮୫ ଏବଂ ୧୦୮ ଅନୁଯାୟୀ ମାମଲା ରୁଜୁ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଏବଂ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବେଳେ ପୋଲିସ ଘଟଣାର ଗଭୀର ତଦନ୍ତ ଚଳାଇଛି।