କର୍ଣ୍ଣାଟକ: ଅଧିକ ରୋଜଗାରର ସ୍ୱପ୍ନ ନେଇ ଘର ଛାଡ଼ିଥିଲେ। କିନ୍ତୁ ଜୀବନ୍ତ ଫେରିବା ବଦଳରେ ସମୁଦ୍ରରୁ ଫେରିଲା ତାଙ୍କ ମୃତଦେହ। ପୁଣିଥରେ ଦାଦନ ମୃତ୍ୟୁର ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର ମଲଫି ସମୁଦ୍ରରେ ମାଛ ଧରିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଖିରିସାହିର ମତ୍ସ୍ୟଜୀବୀ ରାଜୁ ବେହେରାଙ୍କ ମୃତ୍ୟୁ ହୋଇଛି।
ଟ୍ରଲରରୁ ଖସି ଘଟିଲା ଅଘଟଣ
ସୂଚନା ଅନୁସାରେ, ଗତକାଲି ଗଭୀର ସମୁଦ୍ରରେ ଟ୍ରଲରରେ ମାଛ ଧରୁଥିବା ସମୟରେ ରାଜୁ ହଠାତ୍ ସମୁଦ୍ରକୁ ଖସିପଡ଼ିଥିଲେ। ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଥିଲେ ମଧ୍ୟ ରାତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
୧୦ ଦିନରେ ଭାଙ୍ଗିଗଲା ପରିବାରର ସ୍ୱପ୍ନ
ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମାତ୍ର ୧୦ ଦିନ ତଳେ ରାଜୁ ଘରୁ ବାହାରି କେରଳ ଯାଇଥିଲେ। ସେଠାରୁ ଏକ ମାଛଧରା ବୋଟ୍ରେ କାମ କରି ଗଭୀର ସମୁଦ୍ରକୁ ଯାଇଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସାଥି ଦେଇନଥିଲା। ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ଏବେ ସବୁଠୁ ବଡ଼ ଚିନ୍ତା - ମୃତଦେହ କିପରି ଫେରିବ?
ରାଜୁଙ୍କ ମୃତ୍ୟୁ ପରେ ପରିବାର ସମ୍ମୁଖରେ ଆଉ ଏକ ବଡ଼ ସମସ୍ୟା ଛିଡ଼ା ହୋଇଛି। ଦୂର କେରଳରୁ ତାଙ୍କ ମରଶରୀର କିପରି ପୁରୀର ନିଜ ଗାଁକୁ ଅଣାଯିବ, ସେନେଇ ପରିବାର ଓ ସମ୍ପର୍କୀୟମାନେ ଗଭୀର ଚିନ୍ତାରେ ଅଛନ୍ତି।
ପ୍ରତିବର୍ଷ ଅଧିକ ରୋଜଗାର ଆଶାରେ ପୁରୀ, କୃଷ୍ଣପ୍ରସାଦ ଓ ଉପକୂଳ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ କେରଳ ଓ କର୍ଣ୍ଣାଟକକୁ ପ୍ରବାସ ଯାଆନ୍ତି। କିନ୍ତୁ ଗଭୀର ସମୁଦ୍ରରେ କାମ କରୁଥିବା ବେଳେ ଘଟୁଥିବା ଏଭଳି ଦୁର୍ଘଟଣା ପୁଣିଥରେ ପ୍ରବାସୀ ଶ୍ରମିକ ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।