ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ, ଆଜି ସକାଳ ୫ଟା ୩୦ ସମୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ପ୍ରଭାବରେ ଆଗାମୀ ୨୪ତାରିଖ ଯାଏଁ ସମୁଦ୍ର ଅଶାନ୍ତ ସହ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ବାରଣ କରାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ସାରା ରାଜ୍ୟରେ ବର୍ଷା ସହ ବଜ୍ରପାତ ଓ ଝଡ଼ି ପବନ ୩୦-୪୦କିମି ବେଗରେ ବହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆଗାମୀ ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ୨୬ରୁ ୨୭ ତାରିଖ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେବ ।ଏହି ସିଷ୍ଟମ୍ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଅଗ୍ରସର ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଅଗଷ୍ଟ ୨୫ରୁ ୨୮ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ତଳିଆ ଏବଂ ବନ୍ୟାପ୍ରବଣ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।