ଭୁବନେଶ୍ୱର : ଢେଙ୍କାନାଳ ଓ କେନ୍ଦୁଝରରେ ଖୁବଶୀଘ୍ର ଖୋଲିବ ଚାଉଳ ଏଟିଏମ୍ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।ପୂର୍ବରୁ ଭୁବନେଶ୍ଵର ଏବଂ ଝାରସୁଗୁଡାରେ ଚାଉଳ ଏଟିଏମ ଖୋଲିଥିଲା।ଅଗଷ୍ଟ ୩୧ ତାରିଖରେ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଚାଉଳ ଏଟିଏମ୍ ର ଶୁଭାରମ୍ଭ ହେବ । ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ଚାଉଳ ଏଟିଏମ୍ ଖୋଲାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
ହିତାଧିକାରୀ ମାନେ ନିଜ ରାସନ କାର୍ଡ ର ନମ୍ବର ଡାଏଲ କରିବା ସହ ଫିଙ୍ଗର ପ୍ରିଣ୍ଟ ଦେଇ କୋଟାରୁ ଆବଶ୍ୟକତା ମୁତାବକ ଚାଉଳ କିମ୍ବା ଗହମ ଆଣିପାରିବେ। ୨୪ ଘଣ୍ଟିଆ ସୁବିଧା ଏଟିଏମ୍ ରେ ଉପଲବ୍ଧ ରହିବ।ଚାଉଳ ଏଟିଏମ୍ ହେବା ଦ୍ଵାରା ଯେଉଁ ଯୋଗ୍ୟ ହିତାଧିକାରୀ ମାନେ କୌଣସି କାରଣ ବସତଃ ଡିଲର ପାଖକୁ ଯାଇ ପାରୁନାହାଁନ୍ତି ସେମାନେ ଏଟିଏମ୍ ରୁ ୨୪ ଘଣ୍ଟିଆ ସେବା ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ ଓଡ଼ିଶାର ଭୁବନେଶ୍ୱରସ୍ଥ ମଞ୍ଚେଶ୍ୱର ଅଞ୍ଚଳରେ ଅଗଷ୍ଟ ୮ ୨୦୨୪ ମସିହାରେ ଦେଶର ପ୍ରଥମ ଚାଉଳ ଏଟିଏମ୍ (Rice ATM) ଉଦଘାଟିତ ହୋଇଛି। ଏହି ମେସିନ୍ ଜରିଆରେ ରାସନ କାର୍ଡ ହିତାଧିକାରୀମାନେ ଟଙ୍କା ଏଟିଏମ୍ ଭଳି ସହଜରେ ଏବଂ ସଠିକ୍ ଓଜନରେ ନିଜର ପ୍ରାପ୍ୟ ଚାଉଳ ସଂଗ୍ରହ କରିପାରୁଛନ୍ତି।