ଗଞ୍ଜାମ: ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲା ପୋଲିସ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବି.ସି ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରିଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ଏସପି ଏହି କଟକଣା ଜାରି କରିଛନ୍ତି । ଆସନ୍ତା ୯୦ ଦିନ ପାଇଁ ଜିଲ୍ଲାରେ କଟକଣା ଜାରି କରିଛି ଗଞ୍ଜାମ ପୋଲିସ ।
ରାଜନୈତିକ ମତଭେଦ ଏବଂ ଆଇନ ବିରୋଧୀ କାର୍ଯ୍ୟକଳାପ ସହିତ ଜଡିତ ଅସାମାଜିକ ଲୋକେ ବିଭିନ୍ନ ରାଜନୈତିକ ସଂଘର୍ଷର ସୁଯୋଗ ନେଇ ରାଜନୈତିକ ବୈଠକ ଓ ଶୋଭାଯାତ୍ରା ଇତ୍ୟାଦିରେ ସାମିଲ ହେଉଛନ୍ତି । ଏହା ଦ୍ୱାରା ସେମାନେ ନିଜର ଅପରାଧିକ ଏବଂ ସମାଜ ବିରୋଧୀ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବାକୁ ସୁଯୋଗ ପାଉଛନ୍ତି । ଏଭଳି ଲୋକ ସାମିଲ ଥିବା ସଭା କିମ୍ବା ଶୋଭାଯାତ୍ରା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ଭାବରେ ପ୍ରଭାବିତ କରିବାର ସମ୍ଭାବନା ଅଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲା ପୋଲିସ ଧାରା-୩୦ ଲାଗୁ କରିଛି ।
ଅଗଷ୍ଟ ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଧାରା-୩୦ ବଳବତ୍ତର ରହିବ । ଏହି କଟକଣା ଅବଧି ମଧ୍ୟରେ କୌଣସି ରାଜନୈତିକ କିମ୍ବା ସାଂସ୍କୃତିକ ସଭା, ସମାବେଶ ଓ ଶୋଭାଯାତ୍ରା ବିନା ପୋଲିସ ଅନୁମତିରେ ଆୟୋଜନ ହୋଇପାରିବ ନାହିଁ । ସଭା ସମିତି ପାଇଁ ପୋଲିସ ଅନୁମତି ନେବା ବାଧ୍ୟତାମୂଳକ ଅଟେ । ଏଥିପାଇଁ ପାଇଁ ୭୨ ଘଣ୍ଟା ପୂର୍ବରୁ ଆବେଦନ କରିବାକୁ ପଡ଼ିବ । ଏହି ଆବେଦନରେ ସଭା କିମ୍ବା ଶୋଭାଯାତ୍ରାର ସମୟ, ସ୍ଥାନ, ଉଦ୍ଦେଶ୍ୟ, ରାସ୍ତା, ଲୋକ ସଂଖ୍ୟା ଓ ଯାନବାହାନର ବିବରଣୀ ଦେବାକୁ ପଡ଼ିବ । ଶୋଭାଯାତ୍ରା ସମ୍ପର୍କରେ, ଆବେଦନରେ ଅନୁସରଣ କରିବାକୁ ଥିବା ପଥ, ଅଟକିବାର ସ୍ଥାନ, ଶୋଭାଯାତ୍ରାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତାବ ଦେଉଥିବା ବ୍ୟକ୍ତିଙ୍କ ଆନୁମାନିକ ସଂଖ୍ୟା, ଯେଉଁଠାରେ ସଙ୍ଗୀତ ବଜାଇବା ଆବଶ୍ୟକ, ସଂଗୀତଜ୍ଞଙ୍କ ସଂଖ୍ୟା ଏବଂ ସଙ୍ଗୀତର ପ୍ରକୃତି, ମୋଟର ଗାଡି ସଂଖ୍ୟା, ପଶୁଙ୍କ ଗାଡ଼ି (ଯେପରିକି ହାତୀ, ଘୋଡା) ଏବଂ ଅସ୍ତ୍ରଶସ୍ତ୍ର, ବର୍ଚ୍ଛା, ଖଣ୍ଡା, ଛୁରୀ ଇତ୍ୟାଦିର ସଂଖ୍ୟା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବ ।
ଏଥିପାଇଁ ସମ୍ପୃକ୍ତ ଥାନାର ଏସଡିପିଓ କିମ୍ବା ଥାନା ଅଧିକାରୀଙ୍କଠାରୁ କାର୍ଯ୍ୟକ୍ରମ ଅନୁମତି ନେବାକୁ ହେବ । ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି ।