ନୂଆଦିଲ୍ଲୀ: ଭାରତୀୟ ବାର୍ କାଉନସିଲ ଅଧ୍ୟକ୍ଷ ମନନ ମିଶ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ମନନ ମିଶ୍ରାଙ୍କ ଇସ୍ତଫା ଦାବିରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ସୁପ୍ରିମକୋର୍ଟ ଆଇନଜୀବୀ ଦୀପକ ପ୍ରକାଶଙ୍କ ଜରିଆରେ ଆଇନଜୀବୀ ଯୋଗମାୟା ଆବେଦନ କରିଛନ୍ତି ।
ଯୋଗମାୟା ବିସିଆଇର ନିୟମ ଆଧାରରେ ମନନ ମିଶ୍ରାଙ୍କ କାର୍ଯକାଳ ଉପରେ ପ୍ରଶ୍ନ ଉଠାଇଛନ୍ତି । ମନନ ମିଶ୍ରାଙ୍କର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିସିଆଇର କାର୍ଯକାଳ ରହିଛି । ଯାହା ବିସିଆଇ ନିୟମ ୧୨(୨)ର ଉଲ୍ଲଂଘନ ଅଟେ । ଯେଉଁଥିରେ ଅଧ୍ୟକ୍ଷା କିମ୍ବା ଉପାଧ୍ୟକ୍ଷଙ୍କ ପାଇଁ ଦୁଇ ବର୍ଷର କାର୍ଯ୍ୟକାଳର ପ୍ରାବଧାନ ରହିଛି । ୨୧ ଏପ୍ରିଲ ୨୦୨୫ରେ ମନନ ମିଶ୍ରାଙ୍କ କାର୍ଯ୍ୟକାଳ ୨୦୩୦ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେଣୁ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଏବଂ ବିସିଆଇକୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି ।
୨୦୧୨ରେ ମନନ ମିଶ୍ରା ବିସିଆଇ ଅଧ୍ୟକ୍ଷ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ୨୦୧୪ରେ ସେ ଇସ୍ତଫା ଦେଇଥିଲେ, କିନ୍ତୁ ସେହିବର୍ଷ ନଭେମ୍ବର ମାସରେ ପୁଣି ଥରେ ଅଧ୍ୟକ୍ଷ ହୋଇଥିଲେ । ମାର୍ଚ୍ଚ ୨୦୦୫ ପୁଣି ଥରେ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯିବା ଦ୍ୱାରା ସେ ଲଗାତର ୭ ଥର ପାଇଁ ଅଧ୍ୟକ୍ଷ ହୋଇଛନ୍ତି ।
ସେପଟେ ମନନ ମିଶ୍ରା ଯୁକ୍ତି ରଖି କହିଛନ୍ତି ଯେ ସେ ଜଣେ ନିର୍ବାଚିତ ପ୍ରତିନିଧି ଅଟନ୍ତି । ସାରା ଦେଶରୁ ୨୫ ଲକ୍ଷ ଓକିଲଙ୍କୁ ସେ ପ୍ରତିନିଧିତ୍ୱ କରୁଛନ୍ତି । ଗତ ସାତ ବର୍ଷ ହେବ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି । ଏବେବି ତାଙ୍କୁ ଦୁଇ-ତୃତୀୟାଂଶ ସଦସ୍ୟ ସମର୍ଥନ କରୁଛନ୍ତି । ଆଉ ତାଙ୍କର ନିର୍ବାଚନ ବିସିଆଇନ ନିୟମ ଅଧିନରେ ହୋଇଛି । ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ମନନ କୁମାର ମିଶ୍ରାଙ୍କ ବିରୁଦ୍ଧରେ ସହ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ୱାଇ.ଆର୍. ସଦାଶିବ ରେଡ୍ଡୀ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ସଦାଶିବ ରେଡ୍ଡୀ ଚେୟାରମ୍ୟାନ୍ ମନନ ମିଶ୍ରଙ୍କୁ ୬ ପୃଷ୍ଠାର ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ, BCI ର ପ୍ରାୟ ୧୫୦ କୋଟି ଟଙ୍କାର ପାଣ୍ଠିକୁ 'PEARL-First' ନାମକ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି। ଏହି ପୁରା ପ୍ରକ୍ରିୟାରେ ଅର୍ଥନୈତିକ ଅନିୟମିତତା ହୋଇଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ସେ ଏହି ଟ୍ରଷ୍ଟର ଆର୍ଥିକ କାରବାରର ଏକ ସ୍ୱତନ୍ତ୍ର ତଦନ୍ତ ଦାବି କରିଛନ୍ତି।