ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କ ପତ୍ନୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ମୁଖ୍ୟମନ୍ତ୍ରୀ ମାନଙ୍କ ପତ୍ନୀ ଗୁରୁପ୍ରୀତ କୌର ଏକ ଦୁଷ୍କର୍ମ ମାମଲା ରଫାଦଫା କରିବାକୁ ୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିବାର କଂଗ୍ରେସ ନେତା ସୁଖପାଲ ଖୈରାଙ୍କ ଭିଣୋଇ ତଥା ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରଣଜୀତ ସିଂହ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଥିବାବେଳେ ଗୁରୁପ୍ରୀତ ମଧ୍ୟ ପୂର୍ବତନ ବିଚାରପତିଙ୍କୁ ନୋଟିସ୍ ପଠାଇଛନ୍ତି ।
ଲିଗାଲ ରାଇଟସ୍ ଆଡ଼ଭାଇଜରୀ ନାମକ ଏକ ସଂସ୍ଥା ଏନଏଚଆରସିରେ ଏହି ଅଭିଯୋଗ ଆଣିଛନ୍ତି । ପୂର୍ବତନ ବିଚାରପତି ରଣଜୀତ ସିଂହ ସାର୍ବଜନିକ ସ୍ଥାନରେ ଗୁରୁପ୍ରୀତଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଗୁରୁପ୍ରୀତ ଦୁଷ୍କର୍ମ ମାମଲାର ରଫା ଦଫା କରିବାକୁ ୫ କୋଟି ଲାଞ୍ଚ ମାଗିଛନ୍ତି । ଏନଏଚଆରସି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଏନଏଚଆରସି ସଦସ୍ୟ ପ୍ରିୟାଙ୍କ କାନୁନଗୋଙ୍କ ଖଣ୍ଡପୀଠ ମାମଲାର ପରିଚାଳନା କରୁଛନ୍ତି । ଯଦି ବିଚାରପତିଙ୍କ ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ପୀଡ଼ିତାଙ୍କର ଏହା ମାନବାଧିକାର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଏନଏଚଆରସି ଏ ନେଇ ପଞ୍ଜାବ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କରି ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ।
ଆଜି ଗୁରପ୍ରୀତ କୌର ମଧ୍ୟ ପୂର୍ବତନ ବିଚାରପତି ରଣଜୀତ ସିଂହଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି । କେଉଁ ଆଧାରରେ ସେ ଏଭଳି ଅଭିଯୋଗ ଆଣିଛନ୍ତି, ୨୪ ଘଣ୍ଟା ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି । ଯଦି ସେ ଉତ୍ତର ନ ରଖନ୍ତି ତେବେ ତାଙ୍କୁ ଅଦାଲତଙ୍କ ଆଇନଗତ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ିବ ।