ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ପୁଣି ଥରେ ଆରମ୍ଭ ହେବ । ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାର ଗଣତି ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁସାରେ ରତ୍ନ ଅଳଙ୍କାର ଗଣତି ହେବ । ଏଥିପାଇଁ ଶ୍ରୀମନ୍ଦିରର ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କୁ ସହଯୋଗ କାମନା କରିଛି ମନ୍ଦିର ପ୍ରଶାସନ ।
ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଶ୍ରୀମନ୍ଦିରର ବାହାର ଓ ଭିତର ଭଣ୍ଡାର ଗଣତି ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଭିତର ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ରଥ ଯାତ୍ରା ସମୟରେ ଜୁଲାଇ ୧୯ ତାରିଖରେ ଶେଷ ଥର ପାଇଁ ଗଣତି ହୋଇଥିଲା ।
ଏସଓପି ଅନୁସାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରେଜେରିରୁ ରତ୍ନ ଭଣ୍ଡାର ଚାବି ଅଣାଯିବ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯିବ । ଗଣତି ସମୟରେ ଥ୍ରୀଡି ମ୍ୟାପିଂ ଓ ଭିଡ଼ିଓ ଗ୍ରାଫି କରାଯିବ । ଗଣତି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ରିଜର୍ଭ ବ୍ୟାଙ୍କ୍ ପ୍ରତିନିଧି, ଅଧିକୃତ ସେବାୟତ ଏବଂ ଅଧିକାରୀମାନେ ଉପସ୍ଥିତ ରହିବେ ।
ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଉପରେ କିଭଳି ପ୍ରଭାବ ନ ପଡ଼ିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଦର୍ଶନ କଟକଣା ପାଇଁ କୌଣସି ନିର୍ଦ୍ଦେଶ ଜାରି ହୋଇନଥିବାବେଳେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ । ତଥାପି ପୂର୍ବ ଗଣତିରେ ଶ୍ରଦ୍ଧାଳୁମାନେ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । ଭିତର କାଠ ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଥିଲା । ତେଣୁ ପୂର୍ବ ନିୟମ ଲାଗୁ କରାଯିବାର ବିଶେଷ ସମ୍ଭାବନା ରହିଛି ।