ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହା ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ବଙ୍କର (ବି)ରେ ଭୟଙ୍କର ବିସ୍ଫୋରଣ ହେବାରୁ ୫ ଜଣ ଠିକା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକମାନେ ହେଲେ ଏନଟିପିସି ଥାନା ରଙ୍ଗବେଡା ଗାଁର ଖଗେଶ୍ୱର ସାହୁ ( ୩୩), କଣିହାଁ ଥାନା ତେଲିସିଂହା ଗାଁର ସୁଶାନ୍ତ କୁମାର ସାହୁ(୫୬), କମରେଇ ଗାଁର କିଶୋରୀ ପ୍ରଧାନ( ୫୧), ଟେଣ୍ଟେଇ ବେରେଣୀ ଗାଁର ଶୁକଦେବ ଭୁତିଆ(୫୨) ଓ ନାଲମ ଗ୍ରାମର ବଳରାମ ନାଏକ(୨୫) ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ କଣିହା ଏନଟିପିସି ପାୱାର୍ ପ୍ଲାଣ୍ଟର ବଙ୍କର (ବି) ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ୫ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ତାଳଚେର ଏନଟିପିସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଶ୍ରମିକମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ଅଟନ୍ତି । ସେମାନେ ଏନଟିପିସି ସ୍ଥାୟୀ କର୍ମଚାରୀ ନୁହଁନ୍ତି । ସେମାନେ ଏକ ଠିକା ସଂସ୍ଥା ପକ୍ଷରୁ କାମ କରୁଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ତେବେ କେମିତି ବିସ୍ଫୋରଣ ହୋଇଥିଲା ତାହାର କାରଣ ଜଣାପଡ଼ିନଥିବାବେଳେ ଏନଟିପିସି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଉଛି ।