ଭଦ୍ରକ ଜିଲ୍ଲାର ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭୁଲ ଇଞ୍ଜେକ୍ସନ୍ ଓ ଚିକିତ୍ସାରେ ଅବହେଳା ଯୋଗୁଁ ମାୟାଧର ସେଠୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେବା ସହ ପରିବାର ପକ୍ଷରୁ ତିହିଡି ଥାନାରେ ଲିଖିତ ଏତଲା ଦାଖଲ କରାଯାଇଛି।
ଚିକିତ୍ସା ବେଳେ ହଠାତ୍ ଚାଲିଗଲା ଜୀବନ
ସୂଚନା ଅନୁସାରେ, ତିହିଡି ବ୍ଲକ ବଉଳପାଳ ଗ୍ରାମର ମାୟାଧର ସେଠୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ଚିକିତ୍ସା ସହ ଏକାଧିକ ଇଞ୍ଜେକ୍ସନ୍ ଦେଇଥିବା ପରିବାର କହିଛନ୍ତି। ତେବେ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ମାୟାଧରଙ୍କ ମୃତ୍ୟୁ ଘଟିଥିଲା।
ପ୍ରେସକ୍ରିପସନ୍ ଫିଙ୍ଗି ଦେଇଥିବା ଅଭିଯୋଗ
ଘଟଣାକୁ ନେଇ ପରିବାର ପକ୍ଷରୁ ଆଉ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ରୋଗୀଙ୍କ ପ୍ରେସକ୍ରିପସନ୍କୁ ମେଡିକାଲ ପକ୍ଷରୁ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିବା ସେମାନେ ଦାବି କରିଛନ୍ତି। ଏହା ଫଳରେ ଘଟଣାକୁ ନେଇ ସନ୍ଦେହ ଆହୁରି ବଢ଼ିଥିବା ପରିବାର କହିଛି।
ପୋଲିସ ତଦନ୍ତ ଜାରି, ଶବ ଜବତ
ତିହିଡି ଥାନାରେ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ମୃତଦେହକୁ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି। ବର୍ତ୍ତମାନ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପଟେ, ତିହିଡି ଅଞ୍ଚଳରେ ପୂର୍ବରୁ ମଧ୍ୟ ଡାକ୍ତର ଅଭାବ ଓ ସ୍ୱାସ୍ଥ୍ୟସେବାକୁ ନେଇ ଅସନ୍ତୋଷ ଥିବା ଅଭିଯୋଗ ହୋଇଆସୁଛି। ଏହି ପୃଷ୍ଠଭୂମିରେ ରୋଗୀ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।