ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିବା ବେଳେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସରକାର ଜୋରଦାର କରିଛନ୍ତି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ଜାରି ସ୍ଥିତି ରିପୋର୍ଟ ଅନୁଯାୟୀ, SDRFରୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି ଟଙ୍କା ମିଶି ମୋଟ ୧୬୭.୫୫ କୋଟି ଟଙ୍କା ବନ୍ୟା ପରିଚାଳନା, ରିଲିଫ୍ କ୍ୟାମ୍ପ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ୨୧,୪୪୫ ପ୍ୟାକେଟ୍ରେ ୧,୦୭,୨୨୫ଟି ପଲିଥିନ୍ ସିଟ୍ ଏବଂ ୧,୪୩୧.୦୯ ଟନ୍ ପଶୁଖାଦ୍ୟ ଯୋଗାଇ ଦିଆଯାଇଛି। ସମସ୍ତ ଜିଲ୍ଲା ପ୍ରଶାସନକୁ ଆକସ୍ମିକ ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ବର୍ତ୍ତମାନ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ରହିଛି। ବାଲେଶ୍ୱରର ୬ଟି ବ୍ଲକର ୩୨୭ଟି ଗ୍ରାମର ୨୪,୭୦୯ ଜଣ ପ୍ରଭାବିତ ହୋଇଥିବା ବେଳେ ୧୭,୭୯୯ ଜଣ ସ୍ଥାନାନ୍ତର ହୋଇ ୮୯ଟି ରିଲିଫ୍ କ୍ୟାମ୍ପରେ ରହୁଛନ୍ତି। ଭଦ୍ରକରେ ୧,୫୧,୯୩୨ ଜଣ ପ୍ରଭାବିତ ହୋଇଥିବା ବେଳେ ୨୦,୫୬୭ ଜଣ ସ୍ଥାନାନ୍ତର ହୋଇ ୨୩ଟି କ୍ୟାମ୍ପରେ ଆଶ୍ରୟ ପାଇଛନ୍ତି। ଯାଜପୁରରେ ୭୧,୪୨୫ ଜଣ ପ୍ରଭାବିତ ହୋଇ ୩୩୪ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। କେନ୍ଦ୍ରାପଡ଼ାରେ ୨,୪୭,୪୯୩ ଜଣ ପ୍ରଭାବିତ ହୋଇଥିବା ବେଳେ ୨,୩୨୩ ଜଣ ସ୍ଥାନାନ୍ତର ହୋଇ ୧୮ଟି କ୍ୟାମ୍ପରେ ସହାୟତା ପାଉଛନ୍ତି।
ବନ୍ୟା ମୁକାବିଲା ପାଇଁ ରାଜ୍ୟରେ ମୋଟ ୮୬ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଛି। ସେଥିରେ ୩୨ଟି ODRAF, ୮ଟି NDRF ଓ ୪୬ଟି ଅଗ୍ନିଶମ ସେବା ଦଳ ସାମିଲ ରହିଛି। ସ୍ଥାନୀୟ ଜଳବନ୍ଦୀ, ତଳିଆ ଅଞ୍ଚଳରେ ଜଳ ଜମିବା ଏବଂ ସହରାଞ୍ଚଳରେ ଅଣ୍ଡରପାସ୍ ବନ୍ଦ ହେବା ଭଳି ସ୍ଥିତିର ତୁରନ୍ତ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଏପଟେ ରାଜ୍ୟର ପ୍ରମୁଖ ନଦୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଜଳକାର ଜଳସ୍ତର ବିପଦ ଓ ସତର୍କ ସଙ୍କେତଠାରୁ ତଳେ ରହିଛି। ଅଗଷ୍ଟ ୧ରୁ ୨୨ ମଧ୍ୟରେ ରାଜ୍ୟରେ ୨୭୨.୨ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକଠାରୁ ୭.୮% ଅଧିକ। ଜୁନ୍ ୧ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ମୋଟ ୧୦୨୮.୪ ମି.ମି. ବର୍ଷା ହୋଇଛି, ଯାହା ସାଧାରଣ ବର୍ଷାଠାରୁ ୨୯% ଅଧିକ ବୋଲି SEOC ସୂଚନା ଦେଇଛି।