ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ସସ୍ପେଣ୍ଡ ହୋଇଥିବା ଶରଣକୁଳ ଥାନା ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଜ ହୋଇଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର କ୍ରାଇମ ଅଗେନଷ୍ଟ ୱିମେନ୍ (CAW) ଶାଖା ବର୍ତ୍ତମାନ ତାଙ୍କୁ ଗିରଫ କରିବା ପାଇଁ ଜୋରଦାର ଖୋଜାଖୋଜି ଚଳାଇଛି।
ଜଣେ ମହିଳାଙ୍କ ଦୁଷ୍କର୍ମ ଅଭିଯୋଗ ପରେ ସୁଜିତ ଦାସଙ୍କୁ ସସ୍ପେଣ୍ଡ କରାଯାଇଥିଲା। ପ୍ରଥମେ ସ୍ଥାନୀୟ ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ପରେ ଏହାକୁ କ୍ରାଇମବ୍ରାଞ୍ଚ CAWକୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତ ସମୟରେ ଅଭିଯୋଗର ପ୍ରାଥମିକ ସତ୍ୟତା ଓ ପ୍ରମାଣ ମିଳିଥିବା ଦାବି କରିଛି କ୍ରାଇମବ୍ରାଞ୍ଚ।
ଏହାପରେ ସୁଜିତ ଦାସ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଓ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ମଧ୍ୟ ହୋଇଥିଲେ।
ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଥିଲା। ଅଗଷ୍ଟ ୨୦ରେ ଶୁଣାଣି ପରେ ହାଇକୋର୍ଟ ସୁଜିତ ଦାସଙ୍କ ଅନ୍ତରୀଣ ସୁରକ୍ଷା ହଟାଇବା ସହ ଆଗୁଆ ଜାମିନ ଆବେଦନ ଖାରଜ କରି ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ରାୟ ପରେ ଗିରଫ ଏଡ଼ାଇବାକୁ ସୁଜିତ ଦାସ ଫେରାର ଥିବା ସୂଚନା ମିଳିଛି। ଏହି ଚର୍ଚ୍ଚିତ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି। ସୁଜିତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ CAW।