ଭୁବନେଶ୍ୱର: ଓଡ଼ିଶାରେ ଚର୍ଚ୍ଚିତ ‘Yes World’ କ୍ରିପ୍ଟୋ ପୋଞ୍ଜି ସ୍କାମ ମାମଲାରେ ଆର୍ଥିକ ଅପରାଧ ଶାଖା (EOW) ବଡ଼ ସଫଳତା ହାସଲ କରିଛି। ଜଗତସିଂହପୁର ଜିଲ୍ଲାର ଗୋପାଳପୁର ଅଞ୍ଚଳର ଚିତ୍ତ ରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ କ୍ରିପ୍ଟୋ ନିବେଶ ନାଁରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି।
EOW ସୂଚନା ଅନୁଯାୟୀ, ପୁରୀର ସ୍ୱାଗତ କୁମାର ନାୟକଙ୍କ ଅଭିଯୋଗ ଆଧାରରେ ୨୦୨୩ରେ ମାମଲା ରୁଜୁ ହୋଇଥିଲା। ସେ ୮୫,୦୦୦ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତଦନ୍ତରେ ଜଣାପଡ଼ିଲା ଯେ ‘Yes World’ ନାମକ ୱେବ୍ ପ୍ଲାଟଫର୍ମ ମାଧ୍ୟମରେ ପିରାମିଡ୍ ମଡେଲ୍ରେ ନୂଆ ସଦସ୍ୟ ଯୋଡ଼ି ଉଚ୍ଚ ରିଟର୍ଣ୍ଣର ଲୋଭ ଦେଖାଇ ଲୋକଙ୍କୁ ଠକାଯାଉଥିଲା।
EOWର ଆକଳନ ଅନୁସାରେ, ଓଡ଼ିଶାର ୮ ହଜାରରୁ ଅଧିକ ନିବେଶକ ଓ ସାରା ଦେଶରେ ପ୍ରାୟ ୨.୫ ଲକ୍ଷ ସଦସ୍ୟ ଏହି ସ୍କାମର ଶିକାର ହୋଇଛନ୍ତି। ମୋଟ ଠକେଇ ରାଶି ୨୦୦ କୋଟିରୁ ଅଧିକ ବୋଲି ତଦନ୍ତକାରୀ ସଂସ୍ଥା ଅନୁମାନ କରିଛି।
ଚିତ୍ତ ରଞ୍ଜନ ମହାନ୍ତିଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ୧୯.୩୨ ଲକ୍ଷ ସିଧାସଳଖ ଆସିଥିବା ପ୍ରମାଣ ମିଳିଛି। ସେ ଭୁବନେଶ୍ୱର ଓ କଟକରେ ପ୍ରଚାର କରିବା ସହ ୱେବସାଇଟ୍, ମୋବାଇଲ୍ ଆପ୍ ଓ WhatsApp ଗ୍ରୁପ୍ ମାଧ୍ୟମରେ ନକଲି ଲାଭ ଦେଖାଇ ନୂଆ ନିବେଶକ ଯୋଡ଼ୁଥିଲେ।
ଏହି ମାମଲାରେ ପୂର୍ବରୁ ଶଙ୍କର ସରକାର ଓ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା। ଚିତ୍ତ ରଞ୍ଜନଙ୍କ ଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବାବେଳେ EOW ତଦନ୍ତକୁ ଆହୁରି ଜୋରଦାର କରିଛି।