ଭାରତ ଏବଂ ଜାପାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଡିଫେନ୍ସ ଡିଲ୍ ହୋଇଛି, ଯେଉଁଥିରେ ସାମୁଦ୍ରିକ ସୁରକ୍ଷା ଏବଂ ଡିଫେନ୍ସ ଟେକ୍ନୋଲୋଜି ଉପରେ ଖାସ୍ ଫୋକସ୍ ରହିଛି। ଉଭୟ ଦେଶର ସେନାର ସ୍ପେଶାଲ ଅପରେସନ୍ସ ଫୋର୍ସ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି।
ଭାରତ ଏବଂ ଜାପାନ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୦ ରେ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ୍) କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତିରକ୍ଷା ଭାଗୀଦାରୀକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ କରିଛନ୍ତି। ବୈଠକରେ ଭାରତ ଏବଂ ଜାପାନ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି, ଯାହା ଅଧୀନରେ ଭାରତୀୟ ନୌସେନା ଏବଂ ଜାପାନ ମ୍ୟାରିଟାଇମ୍ ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ।
ଏଥିରେ ମ୍ୟାରିଟାଇମ୍ ଡୋମେନ୍ ଆୱାରନେସ୍ ଅର୍ଥାତ୍ ସାମୁଦ୍ରିକ କ୍ଷେତ୍ରର ନଜର ରଖିବା ଏବଂ ତଥ୍ୟ ସେୟାର କରିବା, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏବଂ ପ୍ରାକୃତିକ ବିପତ୍ତି ସମୟରେ ମାନବୀୟ ସହାୟତା ଓ ବିପର୍ଯ୍ୟୟ ପ୍ରଶମନରେ ସହଯୋଗ ସାମିଲ ରହିଛି। ଉଭୟ ଦେଶ ନୌସେନା ଜାହାଜର ପାରସ୍ପରିକ ଗସ୍ତ, ଯୁଗ୍ମ ସାମରିକ ଅଭ୍ୟାସ, ଅଫିସର ଓ ବିଶେଷଜ୍ଞଙ୍କ ଆଦାନପ୍ରଦାନ ଏବଂ ବନ୍ଦର ଓ ଜାହାଜର ମରାମତି ସୁବିଧାର ବ୍ୟବହାରକୁ ମଧ୍ୟ ବୃଦ୍ଧି କରିବେ।
ମାଇନ୍ କାଉଣ୍ଟରମେଜର୍ସରେ ସହଯୋଗ
ଭାରତ ଏବଂ ଜାପାନ ସମୁଦ୍ରରେ ମାଇନ୍ କାଉଣ୍ଟରମେଜର୍ସ କ୍ଷମତା ବୃଦ୍ଧି କରିବା ପାଇଁ ମିଳିମିଶି କାମ କରିବାକୁ ସହମତ ହୋଇଛନ୍ତି। ଏହାସହ, ଜାପାନର ବୈଷୟିକ ଦକ୍ଷତା ଏବଂ ଭାରତର ଉତ୍ପାଦନ କ୍ଷମତାକୁ ବ୍ୟବହାର କରି ନୌସେନା ଜାହାଜର ଡିଜାଇନ୍ ଏବଂ ଯୁଗ୍ମ ବିକାଶର ସମ୍ଭାବନା ଖୋଜିବା ପାଇଁ ମଧ୍ୟ ସହମତି ହୋଇଛି। ଜାପାନ ଯେପରି ଭାରତର ‘ମେକ୍ ଇନ୍ ଇଣ୍ଡିଆ’ କ୍ଷମତାର ବ୍ୟବହାର କରିପାରିବ, ସେହି ଦିଗରେ ମଧ୍ୟ ଆଲୋଚନା ଆଗକୁ ବଢ଼ାଯିବ। ଉଭୟ ଦେଶ ଏକ-ଅନ୍ୟର ସିପ୍ ରିପେୟାର ସୁବିଧାର ବ୍ୟବହାର ପାଇଁ ଶୀଘ୍ର ଚୁକ୍ତି କରିବା ଦିଗରେ ଆଗେଇବେ।
‘ବୀର ଗାର୍ଜିଆନ୍ ୨୬’ରେ ପ୍ରଥମ ଥର ଜାପାନୀ ଫାଇଟର ଜେଟ୍ ଭାରତ ଆସିବେ
ଭାରତ ଏବଂ ଜାପାନ ମଧ୍ୟରେ ସାମରିକ ଅଭ୍ୟାସ ମଧ୍ୟ କ୍ରମାଗତ ଭାବେ ମଜବୁତ ହେଉଛି। ଉଭୟ ଦେଶ ‘ଧର୍ମ ଗାର୍ଜିଆନ୍’ ଏବଂ ନୌସେନା ଅଭ୍ୟାସ ‘JIMEX’ର ପ୍ରଗତିକୁ ସ୍ୱାଗତ କରିଛନ୍ତି। ଖାସ୍ କଥା ହେଉଛି, ଏହି ବର୍ଷ ହେବାକୁ ଥିବା ‘ବୀର ଗାର୍ଜିଆନ୍ ୨୬’ ଏୟାର ଏକ୍ସରସାଇଜ୍ରେ ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସର ଫାଇଟର ଜେଟ୍ ପ୍ରଥମ ଥର ପାଇଁ ଭାରତ ଆସିବେ ଏବଂ ଭାରତୀୟ ବାୟୁସେନା ସହ ଅଭ୍ୟାସରେ ଭାଗ ନେବେ। ଉଭୟ ଦେଶ ଭବିଷ୍ୟତର ସାମରିକ ଅଭ୍ୟାସଗୁଡ଼ିକରେ ଅନ୍ମ୍ୟାଣ୍ଡ ସିଷ୍ଟମ୍ ଅର୍ଥାତ୍ ଡ୍ରୋନ୍ ଏବଂ ଅନ୍ୟ ମାନବରହିତ ପ୍ରଯୁକ୍ତିକୁ ସାମିଲ କରିବା ଏବଂ ଆବଶ୍ୟକ ପଡ଼ିଲେ କମ୍ ସମୟ ମଧ୍ୟରେ ଯୁଗ୍ମ ଅଭ୍ୟାସ କରିବା ଉପରେ ମଧ୍ୟ କାମ କରିବେ।
ଡିଫେନ୍ସ ଟେକ୍ନୋଲୋଜିରେ ବଡ଼ ପଦକ୍ଷେପ
ଭାରତ, ଜାପାନର ପ୍ରତିରକ୍ଷା ସରଞ୍ଜାମ ଏବଂ ଟେକ୍ନୋଲୋଜି ଟ୍ରାନ୍ସଫର ନୀତିରେ ନିକଟରେ ହୋଇଥିବା ପରିବର୍ତ୍ତନକୁ ସ୍ୱାଗତ କରିଛି। ଉଭୟ ଦେଶ ମଧ୍ୟରେ ପ୍ରଥମ ଡିଫେନ୍ସ ଇକ୍ୱିପ୍ମେଣ୍ଟ ଟ୍ରାନ୍ସଫର ପ୍ରୋଜେକ୍ଟ ହେଉଛି UNICORN ଇଣ୍ଟିଗ୍ରେଟେଡ୍ କମ୍ୟୁନିକେସନ୍ ଆଣ୍ଟେନା ସିଷ୍ଟମ୍। ଏହାକୁ ଭାରତ-ଜାପାନ ମଧ୍ୟରେ ପ୍ରତିରକ୍ଷା ଟେକ୍ନୋଲୋଜି ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଭାବେ ବିବେଚନା କରାଯାଇଛି। ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରୋଜେକ୍ଟକୁ ଶୀଘ୍ର ଶେଷ କରିବାକୁ କହିଛନ୍ତି। ଏହା ବ୍ୟତୀତ DRDO ଏବଂ ଜାପାନର ATLA ମଧ୍ୟରେ ଆଡଭାନ୍ସଡ୍ ଡିଫେନ୍ସ ଟେକ୍ନୋଲୋଜିରେ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ (ଗବେଷଣା ଓ ବିକାଶ) ସହଯୋଗ ବୃଦ୍ଧି କରାଯିବ। ଉଭୟ ଦେଶ ଏକ ଡିଫେନ୍ସ ଇଣ୍ଡଷ୍ଟ୍ରୀ ଫୋରମ୍ ମଧ୍ୟ ଆୟୋଜନ କରିବେ।
ସ୍ପେଶାଲ ଫୋର୍ସ ଏବଂ ଥିଏଟର କମାଣ୍ଡରେ ସହଯୋଗ
ଭାରତ ଏବଂ ଜାପାନ ସେନାର ସ୍ପେଶାଲ ଅପରେସନ୍ସ ଫୋର୍ସ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ମଧ୍ୟ ସହମତି ହୋଇଛି। ଭାରତରେ ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡ ଗଠନ ହେବା ପରେ ଜାପାନ ସହ ଏହି କମାଣ୍ଡ ସ୍ତରରେ ସହଯୋଗର ସମ୍ଭାବନାକୁ ମଧ୍ୟ ଆଗକୁ ବଢ଼ାଯିବ।
ଇଣ୍ଡୋ-ପ୍ୟାସିଫିକ୍ରେ ତୃତୀୟ ଦେଶଗୁଡ଼ିକ ସହ ମଧ୍ୟ ସହଯୋଗ
ଉଭୟ ଦେଶ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଅନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ମିଶି କାମ କରିବା ଉପରେ ମଧ୍ୟ ଜୋର୍ ଦେଇଛନ୍ତି। ଏହି ବର୍ଷ ଫେବୃଆରୀରେ ଭାରତ, ଜାପାନ ଏବଂ ଇଣ୍ଡୋନେସିଆ ମଧ୍ୟରେ ପ୍ରଥମ ତ୍ରିପାକ୍ଷିକ ନୌସେନା PASSEX ଏକ୍ସରସାଇଜ୍ ହୋଇଥିଲା। ଉଭୟ ଦେଶ ଏପରି ସହଯୋଗକୁ ଆଗକୁ ବଢ଼ାଇବାକୁ ସହମତ ହୋଇଛନ୍ତି। ପ୍ରାକୃତିକ ବିପତ୍ତି ସମୟରେ ସହଯୋଗୀ ଦେଶଗୁଡ଼ିକ ପର୍ଯ୍ୟନ୍ତ ସୈନ୍ୟ ଏବଂ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଇଣ୍ଡୋ-ପ୍ୟାସିଫିକ୍ ଲଜିଷ୍ଟିକ୍ସ ନେଟୱାର୍କ (IPLN) କୁ ମଧ୍ୟ ମଜବୁତ କରାଯିବ।
ଭାରତ-ଜାପାନ ୨+୨ ଆଲୋଚନା ଶୀଘ୍ର
ଭାରତ ଏବଂ ଜାପାନ ଏହି ବର୍ଷ ଟୋକିଓରେ ହେବାକୁ ଥିବା ଚତୁର୍ଥ ଭାରତ-ଜାପାନ ୨+୨ ଆଲୋଚନା ଆୟୋଜନ କରିବା ଦିଗରେ କଥାବାର୍ତ୍ତା ତୀବ୍ର କରିବାକୁ ସହମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଉଭୟ ଦେଶ ପ୍ରତିରକ୍ଷା, ଗୋଇନ୍ଦା, ଅପରେସନାଲ ଆବଶ୍ୟକତା, ସରଞ୍ଜାମ, ଟେକ୍ନୋଲୋଜି ଏବଂ ପ୍ରତିରକ୍ଷା ଉଦ୍ୟୋଗ ସହ ଜଡ଼ିତ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଏକାଠି ଆଗକୁ ନେବା ପାଇଁ ଡାଇରେକ୍ଟର ଜେନେରାଲ୍/ଜଏଣ୍ଟ ସେକ୍ରେଟାରୀ ସ୍ତରର ଏକ ୱାର୍କିଂ ଗ୍ରୁପ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମୋଟାମୋଟି ଭାବେ ଭାରତ-ଜାପାନର ନୂଆ ପ୍ରତିରକ୍ଷା ପଦକ୍ଷେପରେ ସାମୁଦ୍ରିକ ସୁରକ୍ଷା, ନୌସେନା ସହଯୋଗ, ସାମରିକ ଅଭ୍ୟାସ, ଡିଫେନ୍ସ ଟେକ୍ନୋଲୋଜି, ସିପ୍ବିଲ୍ଡିଂ, ଲଜିଷ୍ଟିକ୍ସ ଏବଂ ପ୍ରତିରକ୍ଷା ଉଦ୍ୟୋଗ ଉପରେ ଖାସ୍ ଫୋକସ୍ ରହିଛି। ଏହାଦ୍ୱାରା ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଉଭୟ ଦେଶର ରଣନୀତିକ ଭାଗୀଦାରୀ ଆହୁରି ମଜବୁତ ହେବା ଆଶା କରାଯାଉଛି। ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ବୈଠକ ପୂର୍ବରୁ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦ ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଟ୍ରାଇ-ସର୍ଭିସ୍ ଗାର୍ଡ ଅଫ୍ ଅନର୍ ଗ୍ରହଣ କରିଥିଲେ। ସେ ମୁମ୍ବାଇରେ ୱେଷ୍ଟର୍ଣ୍ଣ ନେଭାଲ କମାଣ୍ଡ ଏବଂ INS ଚେନ୍ନାଇ ମଧ୍ୟ ଗସ୍ତ କରିଥିଲେ।