ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ଆମେରିକାର ସ୍ପଷ୍ଟୋକ୍ତି ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର ଜମ୍ମୁ-କଶ୍ମୀରକୁ ଭାରତର ଏକ "ଅବିଚ୍ଛେଦ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ" ବୋଲି ବର୍ଣ୍ଣନା କରିବା ପରେ ଆକାଶରୁ ଖସିପଡ଼ିଛି ପାକିସ୍ତାନ। ଏହି ବକ୍ତବ୍ୟରେ କ୍ଷୁବ୍ଧ ହୋଇ ପାକିସ୍ତାନ ନିଜ ଦେଶରେ ଥିବା ଆମେରିକାର କାର୍ଯ୍ୟକାରୀ ରାଷ୍ଟ୍ରଦୂତ ନତାଲୀ ବେକରଙ୍କୁ ସମନ ଜାରି କରି ଆନୁଷ୍ଠାନିକ ଭାବେ ନିଜର ଆପତ୍ତି ଜଣାଇଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଜମ୍ମୁ-କଶ୍ମୀର ଏକ ଅନ୍ତର୍ଜାତୀୟ ସ୍ତରରେ ବିବାଦୀୟ ଅଞ୍ଚଳ। ଏହାର ନିଷ୍ପତ୍ତି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଏବଂ କଶ୍ମୀରବାସୀଙ୍କ ଇଚ୍ଛା ଅନୁସାରେ ହେବା ଉଚିତ୍। ଆମେରିକୀୟ ରାଷ୍ଟ୍ରଦୂତଙ୍କ ଏହି ବକ୍ତବ୍ୟ ଆମେରିକାର ଆଞ୍ଚଳିକ ନୀତିର ବିପରୀତ ବୋଲି ଦାବି କରି ପାକିସ୍ତାନ, ଆମେରିକାକୁ ନିଜର ଆଭିମୁଖ୍ୟ ବଜାୟ ରଖିବାକୁ ଅନୁରୋଧ କରିଛି।
ଏହି ସମଗ୍ର ବିବାଦର ସୂତ୍ରପାତ ବୁଧବାର ସେତେବେଳେ ହୋଇଥିଲା, ଯେତେବେଳେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର ଜମ୍ମୁ-କଶ୍ମୀର ଭ୍ରମଣ ନେଇ ଆମେରିକା ଜାରି କରିଥିବା 'ଟ୍ରାଭେଲ୍ ଆଡଭାଇଜରୀ'ର ସମୀକ୍ଷା କରାଯିବ ବୋଲି କହିଥିଲେ। ସେ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ ଯେ କେନ୍ଦ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପ୍ରଶାସନ ମିଶି କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ସୁଦୃଢ଼ କରିଛନ୍ତି।
ଗୋର ଆହୁରି ମଧ୍ୟ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହା ଏକ ଅତ୍ୟନ୍ତ ସୁନ୍ଦର ସ୍ଥାନ। କାଶ୍ମୀରରେ ଶାନ୍ତି ଏବଂ ସୁରକ୍ଷା ଫେରିଥିବାରୁ ଆମେରିକୀୟ ପର୍ଯ୍ୟଟକମାନେ ଏଠାକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସୁଯୋଗର ଫାଇଦା ਉଠାନ୍ତୁ ବୋଲି ଆମେରିକା ଚାହୁଁଛି। ରାଷ୍ଟ୍ରଦୂତଙ୍କ ଏହି ବକ୍ତବ୍ୟ ଭାରତର ଆଭିମୁଖ୍ୟକୁ ମଜବୁତ୍ କରିଥିବା ବେଳେ ପାକିସ୍ତାନର ଅଶାନ୍ତିକୁ ବହୁଗୁଣିତ କରିଦେଇଛି।