ଭୁବନେଶ୍ୱର : ଆସନ୍ତା ଡିସେମ୍ବରରେ କଟକ ବଡ଼ ମେଡିକାଲର ସମ୍ପ୍ରସାରିତ ନୂଆ କୋଠା ଉଦ୍ଘାଟନ ହେବ । ଏହା ଜାନୁଆରୀରେ କାର୍ଯ୍ୟକ୍ଷମ ହେବ ବୋଲି ଗତକାଲି ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହିତ ୪ଟି ନୂତନ କ୍ଲିନିକାଲ୍ ଓ ଗୋଟିଏ ଆବାସିକ ବ୍ଲକ୍ ନିର୍ମାଣ ହେବ ।
ସୂଚନା ଅନୁଯାୟୀ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବା ନେଇ ନିଷ୍ପତ୍ତି ହୋଇଛି ଯାହା ଏକ ବଡ଼ ଚ୍ୟାଲେଞ୍ଜ ହେବ ।
କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତୀକରଣ ଓ ଭିତ୍ତିଭୂମି ବିକାଶ ସହିତ ଏହାକୁ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଚାଲିଥିବା ପୁନର୍ବିକାଶ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ହସ୍ପିଟାଲ ସଂଲଗ୍ନ ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ସୁସଜ୍ଜିତ କରିବା, ଚଉଡ଼ା ରାସ୍ତା ନିର୍ମାଣ କରିବା ଏବଂ ସୌନ୍ଦର୍ଯ୍ୟୀକରଣ କରି ମନୋରମ ପରିବେଶ ସୃଷ୍ଟି କରାଯିବ। ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର ପାର୍କିଂ ଏବଂ ତାଳଦଣ୍ଡା କେନାଲ ରାସ୍ତାକୁ ସଂଯୋଗ କରିବାକୁ ଥିବା ଟ୍ରାଫିକ କରିଡର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ଆସନ୍ତା ଡିସେମ୍ବରରେ ମେଡିକାଲର ସମ୍ପ୍ରସାରିତ କୋଠା ଉଦଘାଟନ ହେବାକୁ ଥିବାରୁ ଏହାର କାମ ଜୋରସୋରରେ କାମ ଚାଲିଛି। ଏବେ ନୂଆ କୋଠାର କାମ ପାଖାପାଖି ୭୦ ଭାଗ କାର୍ଯ୍ୟ ଶେଷ ହୋଇଗଲାଣି । ତେବେ ଚାରି ମାସ ଭିତରେ ମେଡିକାଲର କାର୍ଯ୍ୟ ଶେଷ କରିବା ସରକାରଙ୍କ ବଡ଼ ଚ୍ୟାଲେଞ୍ଜ ହେବ। ଏହି ନୂତନ ସମ୍ପ୍ରସାରିତ କୋଠା ଉଦଘାଟନ ହୋଇ କାର୍ଯ୍ୟକାରୀ ହେଲେ ରାଜ୍ଯର ହଜାର ହଜାର ରୋଗୀ ଚିକିତ୍ସା ପାଇ ଉପକୃତ ହେବେ।