ଭୁବନେଶ୍ୱର: ଓଡ଼ିଶାର ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଖରିଫ–୨୦୨୬ ପାଇଁ ପଞ୍ଜୀକରଣର ଶେଷ ତାରିଖକୁ ଅଗଷ୍ଟ ୩୧, ୨୦୨୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଏହି ସମୟସୀମା ବୃଦ୍ଧି କରିଛି। ଏହି ଯୋଜନାରେ ପ୍ରାକୃତିକ ବିପର୍ଯ୍ୟୟ, ଅତିବର୍ଷା, ବନ୍ୟା, ମରୁଡ଼ି ଓ ଅନ୍ୟାନ୍ୟ କ୍ଷତିରୁ ଚାଷୀଙ୍କ ଫସଲକୁ ବୀମା ସୁରକ୍ଷା ମିଳିବ।
କେଉଁ ଚାଷୀ ଆବେଦନ କରିପାରିବେ?
ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁରରେ କେବଳ ଋଣୀ ଚାଷୀ ପଞ୍ଜୀକରଣ କରିପାରିବେ। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଋଣୀ, ଅଣଋଣୀ ଓ ଭାଗଚାଷୀ ସମସ୍ତେ ଆବେଦନ କରିପାରିବେ।
୫ ଏକର ପର୍ଯ୍ୟନ୍ତ ମାଗଣା ବୀମା
ଓଡ଼ିଶାରେ ଚାଷୀମାନେ ୫ ଏକର ଜମି ପର୍ଯ୍ୟନ୍ତ ମାଗଣା ଫସଲ ବୀମାର ସୁବିଧା ପାଇବେ। ବ୍ୟାଙ୍କ ଖାତା ଯାଞ୍ଚ ପାଇଁ କେବଳ ପ୍ରତି ପ୍ଲଟ୍କୁ ୧ ଟଙ୍କା ଦେବାକୁ ପଡ଼ିବ। ଚାଷୀଙ୍କ ପ୍ରିମିୟମ ଅଂଶ ରାଜ୍ୟ ସରକାର ବହନ କରୁଥିବାବେଳେ କେନ୍ଦ୍ର ସରକାର ସବସିଡି ଦେଉଛି।
କେଉଁ ଫସଲ ବୀମାରେ ସାମିଲ?
- ଧାନ
- ମକା
- ବାଦାମ
- ରାଗି
- କପା
- ଅରହର
- ଅଦା
- ହଳଦୀ
କେଉଁଠି କରିବେ ଆବେଦନ?
- ଋଣୀ ଚାଷୀ: PACS/LAMPCS ଓ ବ୍ୟାଙ୍କ ଶାଖା
- ଅଣଋଣୀ ଚାଷୀ: CSC, ସହକାରୀ ଓ ବାଣିଜ୍ୟିକ ବ୍ୟାଙ୍କ, ବୀମା ଏଜେଣ୍ଟ
- ଭାଗଚାଷୀ: ଜମିମାଲିକଙ୍କ ସମ୍ମତିପତ୍ର ସହ
ସହଯୋଗ ବିଭାଗ ଯୋଗ୍ୟ ଚାଷୀଙ୍କୁ ଅଗଷ୍ଟ ୩୧ ସୁଦ୍ଧା ନିଜ ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛି।