ଭୁବନେଶ୍ୱର: ନନ୍ଦନକାନନ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖୁବଶୀଘ୍ର ଚିଡ଼ିଆଖାନାକୁ ପହଞ୍ଚିବେ ବିଭିନ୍ନ ମହାଦେଶର ବିରଳ ଓ ବିଦେଶୀ ବନ୍ୟଜନ୍ତୁ। ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ, ଆଫ୍ରିକାର ଚିତା, ବ୍ଲୁ ୱାଇଲ୍ଡବିଷ୍ଟ ଓ ଜେବ୍ରା ସହ ପୂର୍ବ ହିମାଳୟର ଆକର୍ଷଣୀୟ ଲାଲ୍ ପାଣ୍ଡା ଆଣିବାକୁ କର୍ତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପର୍ଯ୍ୟଟକଙ୍କୁ ଏକ ନିଆରା ବନ୍ୟଜୀବ ଅନୁଭୂତି ଦେବା ପାଇଁ ନନ୍ଦନକାନନରେ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମରେ ସ୍ୱତନ୍ତ୍ର ଖୁଆଡ଼ ନିର୍ମାଣ କରାଯାଇଛି। ଏଠାରେ ଦୁଇ ହଳ ରେଡ୍ କଙ୍ଗାରୁ ରହିବେ। ନିଜର ଶକ୍ତିଶାଳୀ ଡିଆଁ ଓ ପେଟର ଥଳି ପାଇଁ ପ୍ରସିଦ୍ଧ ଏହି ମାର୍ସୁପିଆଲ୍ ପ୍ରାଣୀ ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ।
ସେହିପରି ପ୍ରଥମ ଥର ପାଇଁ ନନ୍ଦନକାନନକୁ ଦୁଇ ହଳ ଆଫ୍ରିକୀୟ ଚିତା ଆସିବାକୁ ଯାଉଛନ୍ତି। ଏଥିପାଇଁ ଚିତାଙ୍କ ସ୍ୱତନ୍ତ୍ର ଖୁଆଡ଼ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ରହିଛି। ଏହା ସହ ଦୁଇ ହଳ ବ୍ଲୁ ୱାଇଲ୍ଡବିଷ୍ଟ ଓ ଦୁଇ ହଳ ଆଫ୍ରିକୀୟ ଜେବ୍ରା ଆଣିବାର ଯୋଜନା ମଧ୍ୟ ରହିଛି।
ଅନ୍ୟପଟେ, ବହୁ ପ୍ରତୀକ୍ଷିତ ଲାଲ୍ ପାଣ୍ଡା ଆଣିବା ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ସିକିମ ଓ ଦାର୍ଜିଲିଂର ଘଞ୍ଚ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ ପ୍ରାଣୀକୁ ନନ୍ଦନକାନନକୁ ଆଣିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (CZA)ଙ୍କ ନିକଟରେ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ମିଳିଲେ ଓଡ଼ିଶାବାସୀ ପ୍ରଥମ ଥର ପାଇଁ ନନ୍ଦନକାନନରେ ହିଁ ଲାଲ୍ ପାଣ୍ଡାକୁ ଦେଖିପାରିବେ। ନୂଆ ବିଦେଶୀ ପ୍ରଜାତିର ଆଗମନ ସହ ନନ୍ଦନକାନନ ଦେଶର ଅନ୍ୟତମ ଆକର୍ଷଣୀୟ ଚିଡ଼ିଆଖାନା ଭାବେ ଆହୁରି ସମୃଦ୍ଧ ହେବ ବୋଲି ଆଶା କରାଯାଉଛି।