ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ, ଏବେ ବି ୭ଟି ଜିଲ୍ଲାର ଲକ୍ଷାଧିକ ଲୋକ ପ୍ରଭାବିତ ଅଛନ୍ତି। ସ୍ପେଶାଲ୍ ରିଲିଫ୍ କମିଶନର (SRC)ଙ୍କ ସଦ୍ୟତମ କାଲାମିଟି ରିପୋର୍ଟ ଅନୁସାରେ ୧୨.୮୭ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ୪.୪୯ ଲକ୍ଷ ଲୋକଙ୍କୁ ୮୧୨ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।
ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ବନ୍ୟା ଯୋଗୁଁ ୭୫ଟି ବ୍ଲକ୍, ୪୯୭ଟି ଗ୍ରାମପଞ୍ଚାୟତ ଓ ୧,୬୭୧ଟି ଗାଁ ପ୍ରଭାବିତ ହୋଇଛି।
ଉଦ୍ଧାର ଓ ରିଲିଫ୍ ଜୋରଦାର
ରାଜ୍ୟରେ ୧୭୯ଟି ଉଦ୍ଧାରକାରୀ ଦଳ (ODRAF, NDRF, ଅଗ୍ନିଶମ ଓ ସିଭିଲ୍ ଡିଫେନ୍ସ) ମୁତୟନ ଅଛନ୍ତି। ଏପର୍ଯ୍ୟନ୍ତ ୧୧,୦୪୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୭,୨୧୩ ଜଣଙ୍କୁ ଡଙ୍ଗା ଯୋଗେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ପ୍ରଭାବିତ ଅଞ୍ଚଳରେ ୧୮୫ଟି ମାଗଣା ରୋଷେଇ କେନ୍ଦ୍ର ଚାଲିଛି। ଲୋକଙ୍କୁ ୭୭୬ କ୍ୱିଣ୍ଟାଲ୍ରୁ ଅଧିକ ଶୁଖିଲା ଖାଦ୍ୟ ଓ ୧,୨୯୩ ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।
ରାସ୍ତା, ବିଦ୍ୟୁତ ଓ କୃଷିରେ କ୍ଷତି
ବନ୍ୟାରେ ୧୦୩ଟି ରାସ୍ତା ଓ ସେତୁ କ୍ଷତିଗ୍ରସ୍ତ ହୋଇଥିବାବେଳେ 6,960ଟି ନଳକୂଅ ଓ 228ଟି ପାନୀୟ ଜଳ ପ୍ରକଳ୍ପ ପ୍ରଭାବିତ ହୋଇଛି। ପ୍ରାୟ 73,495 ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ, ଯାହାର ପୁନରୁଦ୍ଧାର କାମ ଜାରି ରହିଛି।
କୃଷି କ୍ଷେତ୍ରରେ ୬୯,୯୭୪ ହେକ୍ଟର ଫସଲ, ମୁଖ୍ୟତଃ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୫.୨୮ ଲକ୍ଷ କୁକୁଡ଼ା ଓ ୫୫ ହଜାରରୁ ଅଧିକ ପଶୁଧନ ପ୍ରଭାବିତ ହୋଇଛି।
ସ୍ୱାସ୍ଥ୍ୟ ସେବା ଜାରି, ମୃତ୍ୟୁ ନାହିଁ
ରାଜ୍ୟରେ ୧୫୯ଟି ମେଡିକାଲ୍ କ୍ୟାମ୍ପ ମାଧ୍ୟମରେ ୯,୨୬୧ ଜଣଙ୍କୁ ଚିକିତ୍ସା ଦିଆଯାଇଛି। ଡାଇରିଆର ୩୦ ଓ ସାପ କାମୁଡ଼ାର ୧୯ଟି ମାମଲା ସାମ୍ନାକୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମାନବ ମୃତ୍ୟୁ ରିପୋର୍ଟ ହୋଇନାହିଁ ବୋଲି SRC ସ୍ପଷ୍ଟ କରିଛନ୍ତି।