ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ ଟ୍ୟାକ୍ସି, ଅଟୋ ଓ ବାଇକ ଚାଳକଙ୍କ ଆନ୍ଦୋଳନ ବେଳେ ସୃଷ୍ଟି ହୋଇଥିବା ହିଂସା ଓ ବିଶୃଙ୍ଖଳା ଏବେ ଆନ୍ଦୋଳନକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। କମିଶନରେଟ୍ ପୋଲିସ ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରିଥିବାବେଳେ, ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍ ବାତିଲ ପ୍ରକ୍ରିୟା ଆରମ୍ଭ କରିଛି ଭୁବନେଶ୍ୱର ଆରଟିଓ–୧।
ପୋଲିସ ସୂଚନା ଅନୁସାରେ, ଖାରବେଳନଗର ଥାନାରେ ମୋଟ ୭ଟି ଏଫଆଇଆର୍ ରୁଜୁ ହୋଇଛି। ସାଧାରଣ ଲୋକଙ୍କ ଅଭିଯୋଗରେ ୨ଟି, ଆମ ବସ୍ କର୍ମଚାରୀଙ୍କ ପକ୍ଷରୁ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ମାମଲା ରହିଛି।
୩ ଫେଜରେ ଗିରଫ, ୩୫୪ ଗାଡ଼ି ଜବତ
ପୋଲିସ ୩ଟି ପର୍ଯ୍ୟାୟରେ ଚଢ଼ାଉ କରି ୧୧୩ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ବିଏନଏସର ବିଭିନ୍ନ ସଙ୍ଗୀନ ଧାରା ସହ PDPP ଆକ୍ଟ ଲାଗୁ କରାଯାଇଛି। ସରକାରୀ ସମ୍ପତ୍ତି ନଷ୍ଟ, ହିଂସା ଓ ପୋଲିସ ଉପରେ ଆକ୍ରମଣ ଭଳି ଅଭିଯୋଗରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହାସହ ୩୫୪ଟି ଗାଡ଼ି ଜବତ କରାଯାଇଥିବାବେଳେ, ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି।
୪୦୦ରୁ ଅଧିକ ଅଟୋ ମାଲିକଙ୍କୁ ନୋଟିସ୍
ଘଟଣା ପରେ ଆରଟିଓ–୧ ପକ୍ଷରୁ ୪୦୦ରୁ ଅଧିକ ପଞ୍ଜୀକୃତ ଅଟୋ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସିସିଟିଭି ଫୁଟେଜ୍, ପୋଲିସ ରେକର୍ଡ ଓ ଜବତ ତାଲିକା ଆଧାରରେ ରାସ୍ତା ଅବରୋଧରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଛି।
ନୋଟିସ୍ରେ ମାଲିକଙ୍କୁ ପଚରାଯାଇଛି ଯେ, ଘଟଣା ସମୟରେ ଗାଡ଼ି କାହା ନିୟନ୍ତ୍ରଣରେ ଥିଲା ଏବଂ ମାଲିକଙ୍କ ଅନୁମତି କିମ୍ବା ଅବଗତିରେ ବ୍ୟବହୃତ ହୋଇଥିଲା କି ନାହିଁ। ସନ୍ତୋଷଜନକ ସ୍ପଷ୍ଟୀକରଣ ନ ମିଳିଲେ ପରମିଟ୍ ବାତିଲ କରାଯିବ ବୋଲି ସୂଚନା ମିଳିଛି।
କମିଶନରେଟ୍ ପୋଲିସର କଡ଼ା ବାର୍ତ୍ତା
ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ପରେ କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି ଯେ, ଆଇନକୁ ହାତକୁ ନେଇ ସରକାରୀ ସମ୍ପତ୍ତି ନଷ୍ଟ କିମ୍ବା ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।