ଜଳେଶ୍ୱର: ଆଜି ମଧ୍ୟ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ରହିଛି । ରାଜଘାଟ ଠାରେ ବିପଦ ସଂକେତ ୧୦. ୩୬ ମିଟର ଥିବାବେଳେ ଏବେ ୧୧.୭୯ ମିଟର ଉପରେ ପାଣି ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାର ମଧ୍ୟମ ଧରଣର ବନ୍ୟା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକ ପାଇଁ ବଡ଼ ବିପଦ ଆଣିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଭୋଗରାଇ ବ୍ଲକରେ ୨୮, ବାଲିଆପାଳରେ ୨୦, ଜଳେଶ୍ୱରରେ ୧୦ରୁ ଅଧିକ, ଏବଂ ବସ୍ତା ବ୍ଲକରେ ୩ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇଛି । ଶତାଧିକ ଗ୍ରାମର ହଜାର ହଜାର ସଂଖ୍ୟାରେ ଲୋକେ ଏବେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଟିମ୍ ମୁତୟନ କରାଯାଇଛି । ବିଭିନ୍ନ ବ୍ଲକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ସହିତ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଉଛି ।