କଳାହାଣ୍ଡି: କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ହାତୀ ପଲ ଆତଙ୍କ ଖେଳାଇଛନ୍ତି । ଘର ଦ୍ୱାର ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ କ୍ରୋଧ ବୃଦ୍ଧି ପାଇଛି ।
କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଧୀନସ୍ଥ ବେନଗାଁ ପଞ୍ଚାୟତର ଘୋଡ଼ାପୋଖରୀ ଗାଁରେ ହାତୀ ଆତଙ୍କ । ଗ୍ରାମରେ ଏକାଧିକ ଘର ଭାଙ୍ଗିବା ସହିତ ଧାନ, ଚାଉଳ ସହ ଘରୋଇ ସାମଗ୍ରୀ ନଷ୍ଟ କରିଛନ୍ତି । ଗତ କାଲି ବିଳମ୍ବିତ ରାତିରେ ଏକ ଦାନ୍ତା ହାତୀ ସମେତ ହାତୀପଲ ଗାଁରେ ପଶି ଧନୁର୍ଜ ହରିଜନଙ୍କ ଘର ଭାଙ୍ଗିଥିଲେ । ହାତୀଙ୍କ ଶବ୍ଦ ଶୁଣି ପରିବାର ଲୋକେ ଘର ଛାଡ଼ି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ହାତୀପଲ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ, ବିରି ସହ ବିଭିନ୍ନ ସାମଗ୍ରୀ ନଷ୍ଟ କରିଛନ୍ତି। ହାତୀଙ୍କ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ଓ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛି ।
ସେପଟେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ମାଝିପଡ଼ାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏକ ୧୬ ଟିକିଆ ହାତୀ ପଲ ମାଝିପଡ଼ା ଗ୍ରାମରେ ଆତଙ୍କ ଖେଳାଇଛନ୍ତି । ହାତୀମାନେ ଘର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରିଛନ୍ତି । ସ୍ଥାନୀୟ ଲୋକମାନେ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।