ଭୁବନେଶ୍ୱର: ବୈତରଣୀରେ ବାରମ୍ବାର ବନ୍ୟା ଆସିବାକୁ ନେଇ ରାଜ୍ୟ ଜଳ ସମ୍ପଦ ବିଭାଗ କ୍ଷୋଭ ପ୍ରକାଶ କରିଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ (BPPL) କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ପାୱାର ପ୍ରୋଜେକ୍ଟର ଗେଟ୍ ପରିଚାଳନାଗତ ତ୍ରୁଟି ଯୋଗୁଁ ବୈତରଣୀରେ ବାରମ୍ବାର ବନ୍ୟା ଆସୁଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ବର୍ଷ ବୈତରଣୀରେ ଦୁଇ ଦୁଇ ଥର ମଧ୍ୟମ ଧରଣର ବନ୍ୟା ଆସିଛି । ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ଦ୍ୱାରା ଲକ୍ଷାଧିକ ଲୋକେ ପ୍ରଭାବିତ ହେଉଛନ୍ତି । ବିପିପିଏଲ୍ କମ୍ପାନୀ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ପୀକ୍ ଫ୍ଲଡ୍ (Peak Flood) ଏବଂ ଫ୍ଲାସ୍ ଫ୍ଲଡ୍ (Flash Flood) ସମୟରେ ମନମୁଖୀ ଓ ଅନିୟମିତ ଭାବେ ବ୍ୟାରେଜ ଗେଟ୍ଗୁଡ଼ିକୁ ଖୋଲୁଛି। ଏହି ବେପରୁଆ କାର୍ଯ୍ୟ ଯୋଗୁଁ ନଦୀର ତଳମୁଣ୍ଡରେ ଜଳସ୍ତର ହଠାତ୍ ବୃଦ୍ଧି ପାଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏପରି ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବା ଯୋଗୁଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମାଗିଛି ଜଳ ସମ୍ପଦ ବିଭାଗ । ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବ୍ୟାରେଜକୁ ସମ୍ପୂର୍ଣ୍ଣ ଖାଲି କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଯାହାଦ୍ୱାରା ତଳମୁଣ୍ଡ ଅଞ୍ଚଳ ଜଳମଗ୍ନ ହେବାରୁ ରକ୍ଷା ପାଇପାରିବ ।