ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଚାଳକ ଆନ୍ଦୋଳନର ଆଢ଼ୁଆଳରେ ଯେଉଁ ହିଂସାକାଣ୍ଡ ଭିଆଇଛନ୍ତି, ସେଥିପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅମାନିଆଙ୍କୁ ସାବାଡ୍ କରିବାକୁ ସରକାର ବୁଲଡୋଜର୍ ଆକ୍ସନ ଆପଣାଇଛନ୍ତି । ଗୁରୁବାର କମିଶନରେଟ୍ ପୋଲିସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରେ ଥିବା ଅନଲାଇନ୍ ଅଟୋ ଷ୍ଟାଣ୍ଡରେ ବୁଲଡୋଜର୍ ଚାଲିଛି ।
ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏକ ସରକାରୀ ଜମି ଉପରେ ବେଆଇନଭାବେ ଅନଲାଇନ୍ ଡ୍ରାଇଭର ସଂଘ ଏକ ଅଟୋ ଷ୍ଟାଣ୍ଡ କରିଥିଲା । ଏଠାରେ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବାର ଅଭିଯୋଗ ହୋଇଥିଲା । କିନ୍ତୁ ଗତକାଲି ଯେଉଁ ପ୍ରକାର ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରାଗଲା, ଏହା ପରେ ପୋଲିସ ଆକ୍ସନ୍ ମୁଡକୁ ଆସିଛି । ଆଜି ଉକ୍ତ ବେଆଇନ ଅଟୋ ଷ୍ଟାଣ୍ଡକୁ ଜେସିବି ମେସିନ୍ ଲଗାଇ ଭାଙ୍ଗି ଦିଆଯାଇଛି ।
ସେପଟେ ଆନ୍ଦୋଳନବେଳେ ହିଂସା ଆଚରଣ କରି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ବିକ୍ଷୋଭକାରୀ ନିଜେ କ୍ଷତି ଭରଣା କରିବେ ବୋଲି ଚେତାବନୀ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଅଟୋ ଡ୍ରାଇଭରମାନେ ଯେଉଁ କାଣ୍ଡ ଘଟାଇଲେ ତାହା ଅତ୍ୟନ୍ତ ଅମାନବୀୟ ଘଟଣା । ଆନ୍ଦୋଳନ ସମୟରେ ଆଇନକୁ ହାତକୁ ନେବା ସହି ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ତତସହିତ ସରକାରୀ ଗାଡି ଭାଙ୍ଗିଛନ୍ତି । ଏପରିକି ପୋଲିସ ଉପରେ ଆକ୍ରମଣ କରିଛନ୍ତି । ତେଣୁ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା । ସେହିପରି ଯେଉଁ କ୍ଷତି ହୋଇଛି ତାହାକୁ ଅଟୋ ମାଲିକମାନେ ଭରଣା କରିବେ ବୋଲି କହିଛନ୍ତି ମନ୍ତ୍ରୀ ।
ଉଲ୍ଲେଖ ଯୋଗ୍ୟ, ବୁଧବାର ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ ଅଟୋ, ଟ୍ୟାକ୍ସି ଓ ବାଇକ ଚାଳକମାନେ ଆନ୍ଦୋଳନ କରୁଥିବାବେଳେ ହିଂସା ପ୍ରଦର୍ଶନ କରିଥିଲେ । କାର୍ଯ୍ୟରତ ପୋଲିସକୁ ଆକ୍ରମଣ କରିବା ସହିତ ଆମ୍ ବସକୁ ପଥର ଫିଙ୍ଗି ଭାଙ୍ଗିଥିଲେ । ଏହି ଘଟଣାରେ ଖାରବେଳନଗର ଥାନାରେ ମୋଟ ୭ଟି ଏଫଆଇଆର୍ ରୁଜୁ ହୋଇଛି। ଏଯାବତ ୧୧୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍ ବାତିଲ ପ୍ରକ୍ରିୟା ଆରମ୍ଭ କରାଯାଇଛି ।