ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ପରୀକ୍ଷା ପରିଚାଳନା ସଂସ୍ଥା ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବଡ଼ଧରଣର ଅଦଳବଦଳ କରାଯାଉଛି। ପରୀକ୍ଷା ବ୍ୟବସ୍ଥାକୁ ନେଇ କ୍ରମାଗତ ଭାବେ ଉଠୁଥିବା ପ୍ରଶ୍ନ ଓ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏନଟିଏ ନିଜର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଆଗାମୀ ୩ ମାସ ମଧ୍ୟରେ ଏନଟିଏରୁ ସମସ୍ତ ଅସ୍ଥାୟୀ ବା ଆଡହକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ।
ସଂସ୍ଥା ପକ୍ଷରୁ ପ୍ରାୟ ୨୦ରୁ ଅଧିକ ସ୍ଥାୟୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜୋରସୋରରେ ଚାଲିଛି। ସାଇବର ସିକ୍ୟୁରିଟି, ଟେଷ୍ଟ ସିକ୍ୟୁରିଟି, ଆରଏଣ୍ଡଡି ଏବଂ ସାଇକୋମେଟ୍ରିକ୍ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞମାନଙ୍କୁ ସାମିଲ କରାଯାଉଛି।
ନୂତନ ପଦବୀ ଓ ଟିମ୍ ଗଠନ
ଏନଟିଏ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଜେନ୍ସି ବର୍ତ୍ତମାନ ଏକ ସ୍ଥାୟୀ କର୍ମଚାରୀ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। ଏହା ଅଧୀନରେ ଚିଫ୍ ଟେକ୍ନୋଲୋଜି ଅଫିସର (CTO), ଚିଫ୍ ପାଏନାନ୍ସ ଅଫିସର (CFO), ଏବଂ ଚିଫ୍ ଇନଫର୍ମେସନ୍ ସିକ୍ୟୁରିଟି ଅଫିସରଙ୍କ ସମେତ ବିଭିନ୍ନ ଜେନେରାଲ୍ ମ୍ୟାନେଜର ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି। ଆଗାମୀ ୨ ରୁ ୩ ସପ୍ତାହ ମଧ୍ୟରେ ପ୍ରାୟ ୨୦ ରୁ ୨୫ ଜଣ ନୂତନ ଅଧିକାରୀ ଏହି ସଂସ୍ଥାରେ ଯୋଗଦେବେ ବୋଲି ଆଶା କରାଯାଉଛି।
୬୦୦ ବିଶେଷଜ୍ଞ ବାଦ୍ ଓ ୪ ସ୍ତରୀୟ ଯାଞ୍ଚ ବ୍ୟବସ୍ଥା
ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ପ୍ରାୟ ୬୦୦ ଜଣ ପୁରୁଣା ବିଶେଷଜ୍ଞଙ୍କୁ ବର୍ତ୍ତମାନର ପରୀକ୍ଷା ଟିମରୁ ହଟାଇ ଦିଆଯାଇଛି। ସେମାନଙ୍କ ସ୍ଥାନରେ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ଜରିଆରେ ନୂତନ ଏବଂ ଦକ୍ଷ ଲୋକଙ୍କୁ ନିଆଯାଉଛି। ଏହା ସହିତ ୫୦ରୁ ଅଧିକ କର୍ମଚାରୀଙ୍କୁ ମଧ୍ୟ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ପରୀକ୍ଷା ପ୍ରଶ୍ନପତ୍ରରେ କୌଣସି ପ୍ରକାର ଭୁଲ୍ ନ ରହିବା ପାଇଁ ଏବେ ୪ ସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଉଛି। ଏହାଦ୍ୱାରା ତଥ୍ୟଗତ, ଟାଇପିଂ, ଭାଷା ଏବଂ ଅନୁବାଦ ସମ୍ବନ୍ଧୀୟ ଭୁଲ୍ଗୁଡ଼ିକୁ ପରୀକ୍ଷା ପୂର୍ବରୁ ସହଜରେ ଧରାଯାଇପାରିବ।
ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନଟିଏର ସମସ୍ତ ପରୀକ୍ଷା ପ୍ରକ୍ରିୟାର ଏକ ବିସ୍ତୃତ ଅଡିଟ୍ କରିବାକୁ ଏବଂ ସେଥିରେ ହୋଇଥିବା ସୁଧାର ସମ୍ପର୍କରେ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଦେଶର ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ଅଧିକ ସ୍ୱଚ୍ଛ ଏବଂ ନିର୍ଭୁଲ ହେବ ବୋଲି ଆଶା କରାଯାଉଛି।