କଟକ: ୨୩ ବର୍ଷ ପୁରୁଣା ଏକ ଚୋରି ମାମଲାରେ ଆବେଦନକାରୀଙ୍କୁ ଶେଷରେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆବେଦନକାରୀ କିମ୍ବା ତାଙ୍କ ଆଇନଜୀବୀ ଅନୁପସ୍ଥିତ ଥିବା କାରଣରୁ କୌଣସି ଦୋଷୀଙ୍କ ଅପିଲକୁ ଖାରଜ କରିହେବ ନାହିଁ।
ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ବସନ୍ତ କୁମାର ପାଲଙ୍କ ଆବେଦନର ଶୁଣାଣି କରି କଟକ ଦୌରା ଅଦାଲତଙ୍କ ୨୦୧୪ର ଅପିଲ ଖାରଜ ଆଦେଶକୁ ରଦ୍ଦ କରିଛନ୍ତି।
କ’ଣ କହିଲେ ହାଇକୋର୍ଟ?
ହାଇକୋର୍ଟ କହିଛନ୍ତି, ନନ୍-ପ୍ରସିକ୍ୟୁସନ ଆଧାରରେ ଅପିଲ ଖାରଜ କରିବାକୁ ଆଇନ ଅନୁମତି ଦିଏ ନାହିଁ। ଅପିଲର ନିଷ୍ପତ୍ତି ସବୁବେଳେ ତଥ୍ୟ ଓ ପ୍ରମାଣ ଆଧାରରେ ହେବା ଉଚିତ, କେବଳ ଔପଚାରିକତା ପାଇଁ ନ୍ୟାୟକୁ ଅଟକାଇ ରଖାଯାଇପାରିବ ନାହିଁ।
ଅଦାଲତ ଆହୁରି କହିଛନ୍ତି ଯେ, ଶୁଣାଣି ବେଳେ ଆଇନଜୀବୀ ଉପସ୍ଥିତ ନଥିଲେ ଆମିକସ୍ କ୍ୟୁରି ନିଯୁକ୍ତ କରି ମାମଲାର ମେରିଟ୍ ଉପରେ ରାୟ ଦିଆଯାଇପାରିବ।
୨୦୦୩ରୁ ୨୦୨୬: ଦୀର୍ଘ ଆଇନଗତ ଲଢ଼େଇ
ମଙ୍ଗଳାବାଗ ଥାନାରେ ୨୦୦୩ ଅକ୍ଟୋବର ୩୧ରେ ଘରେ ପଶି ଚୋରି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ୨୦୧୩ରେ ଜେଏମଏଫସି ଅଦାଲତ ବସନ୍ତ କୁମାର ପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଥିଲେ।
ପରେ ଦାଖଲ ହୋଇଥିବା ଅପିଲକୁ ଦୌରା ଅଦାଲତ ଆବେଦନକାରୀଙ୍କ ଅନୁପସ୍ଥିତିରେ ଖାରଜ କରିଥିଲେ। ଶେଷରେ ହାଇକୋର୍ଟ ସେହି ଆଦେଶକୁ ରଦ୍ଦ କରି ନ୍ୟାୟିକ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଐତିହାସିକ ମନ୍ତବ୍ୟ ଦେଇଛନ୍ତି।