ପାରାଦୀପ: ଓଡ଼ିଶା ହାଇକୋର୍ଟ ଏକ ସାମୁଦ୍ରିକ (Admiralty) ମାମଲାରେ ବଡ଼ ଆଦେଶ ଦେଇ ପାରାଦୀପ ବନ୍ଦରରେ ଥିବା ବିଦେଶୀ ଜାହାଜ ‘MT ୟୁନିଟି’ କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଡମିରାଲ ଜଜ୍ ଜଷ୍ଟିସ ଭି. ନରସିଂହ ସୋଗ୍ଲାସି ଇନସୁରାନ୍ସ ଲିମିଟେଡ୍ ପକ୍ଷରୁ ଦାଖଲ ମାମଲାର ଶୁଣାଣି କରି ଏହି ଆଦେଶ ଜାରି କରିଛନ୍ତି।
ମାମଲା ଅନୁଯାୟୀ, ଜାହାଜର କର୍ମଚାରୀଙ୍କ ବକେୟା ଦରମା ଓ ଜାହାଜ ଚଳାଚଳ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଣ ବାବଦରେ ସୋଗ୍ଲାସି ଇନସୁରାନ୍ସ କମ୍ପାନୀ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ଦୀର୍ଘ ସମୟ ଧରି ଜାହାଜ ମାଲିକ ଏହି ଅର୍ଥ ପରିଶୋଧ କରିନଥିବାରୁ କମ୍ପାନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା।
ଶୁଣାଣି ପରେ ହାଇକୋର୍ଟ ବକେୟା ଅର୍ଥ ଦାବିକୁ ଗ୍ରହଣଯୋଗ୍ୟ ମନେ କରି ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜାହାଜରେ ଥିବା କାର୍ଗୋ ସହ ଏହି ମାମଲାର କୌଣସି ସମ୍ପର୍କ ନାହିଁ, ସେଥିପାଇଁ ମାଲ ଖଲାସି କାର୍ଯ୍ୟ ସ୍ୱାଭାବିକ ଭାବେ ଜାରି ରହିବ। ଏହି ଆଦେଶ ପରେ ପାରାଦୀପ ବନ୍ଦରରେ ଜାହାଜ ଚଳାଚଳ ଓ ସାମୁଦ୍ରିକ ବାଣିଜ୍ୟ ମହଳରେ ଚର୍ଚ୍ଚା ବଢ଼ିଛି।