ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ଜଳସମ୍ପଦ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ବଜେଟର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ଓଡ଼ିଶା ସରକାର। ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗର ସମୀକ୍ଷା ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି।
ବୈଠକରେ ବୃହତ୍ ଜଳସେଚନ ପ୍ରକଳ୍ପ, ଡ୍ରେନେଜ୍ ଯୋଜନା, ଡ୍ୟାମ୍, ବ୍ୟାରେଜ୍ ଓ କେନାଲ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କଣ୍ଟ୍ରୋଲିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକର ୫ ପ୍ରମୁଖ ନିଷ୍ପତ୍ତି
- ଟେଣ୍ଡର ପ୍ରକ୍ରିୟା ଶୀଘ୍ର ଶେଷ କରି କାର୍ଯ୍ୟାଦେଶ ଜାରି
- EFC ଓ ଅନ୍ୟାନ୍ୟ ଅନୁମୋଦନ ପ୍ରସ୍ତାବର ତୁରନ୍ତ ନିଷ୍ପତ୍ତି
- ବାସ୍ତବସମ୍ମତ ପ୍ରକଳ୍ପ ବ୍ୟୟ ଆକଳନ ପ୍ରସ୍ତୁତ
- ଚଳିତ ବର୍ଷରେ ବଜେଟର ଫଳପ୍ରଦ ବ୍ୟବହାର
- ସମୟସୀମା ମଧ୍ୟରେ ଜଳସେଚନ କ୍ଷମତା ବୃଦ୍ଧି ଓ ପ୍ରକଳ୍ପ ସମ୍ପୂର୍ଣ୍ଣ
PM ଗତିଶକ୍ତି ଓ BAMIS ଉପରେ ଜୋର
ବୈଠକରେ PM Gati Shakti ପୋର୍ଟାଲ ଉପରେ ପ୍ରସ୍ତୁତିକରଣ ସହ ଜଳକର ଆଦାୟ ବ୍ୟବସ୍ଥା ଓ BAMIS (Budget Allocation and Monitoring Information System) ପୋର୍ଟାଲକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ବିଭାଗୀୟ କାମର ଉନ୍ନତ ମନିଟରିଂ ପାଇଁ ଡିଜିଟାଲ୍ ପ୍ଲାଟଫର୍ମର ପ୍ରଭାବୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା ଜାତୀୟ ଜଳ ପୁରସ୍କାର ପାଇଁ ଓଡ଼ିଶାର ନାମାଙ୍କନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।