ଭୁବନେଶ୍ୱର: ରାଜ୍ୟରେ ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) ବୁଧବାର ବଡ଼ ଧରଣର ଯାଞ୍ଚ ଅଭିଯାନ ଚଳାଇଛି। ଏହି ଅଭିଯାନରେ ସମଗ୍ର ଓଡ଼ିଶାରେ ୧୧,୦୧୧ଟି ଇ-ଚାଲାଣ କଟାଯାଇଥିବା ବେଳେ ୨୬ଟି ଗାଡ଼ିକୁ ଜବତ କରାଯାଇଛି।
STA ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ସବୁଠାରୁ ଅଧିକ ୬,୪୦୨ ଜଣ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇଥିବାରୁ ଚାଲାଣର ସମ୍ମୁଖୀନ ହୋଇଛନ୍ତି। ସେହିପରି ୧,୦୬୧ଟି ମାମଲାରେ ଓଭରସ୍ପିଡ୍, ୨୮୩ଟି ଗାଡ଼ି ବୈଧ ବୀମା ବିନା ଚଳାଚଳ ଏବଂ ୨୬୬ଟି ମାମଲାରେ ଟ୍ରିପଲ୍ ରାଇଡିଂ ପାଇଁ ଇ-ଚାଲାଣ ଜାରି କରାଯାଇଛି।
ରାଜ୍ୟ ପରିବହନ ପ୍ରାଧିକରଣ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ୍ ନିୟମ ମାନିବାକୁ ଅନୁରୋଧ କରିଛି। “ସୁରକ୍ଷିତ ଯାତ୍ରା କରନ୍ତୁ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ” ବାର୍ତ୍ତା ଦେଇ STA କହିଛି ଯେ, ସଡ଼କ ଦୁର୍ଘଟଣା କମାଇବା ପାଇଁ ଆଗାମୀ ଦିନରେ ମଧ୍ୟ ରାଜ୍ୟବ୍ୟାପୀ କଡ଼ା ଯାଞ୍ଚ ଓ ଚାଲାଣ ଅଭିଯାନ ଜାରି ରହିବ।