ନୂଆଦିଲ୍ଲୀ: ଦେଶରେ ଚିନି ଉତ୍ପାଦନ ପାଇଁ ଆଖୁ ଉପଲବ୍ଧ ଥିବା ସତ୍ତ୍ୱେ ବଜାରରେ ଚିନି ଦର ଏବେ ଉପରମୁହାଁ। ଗୋଟିଏ ପଟେ ଦେଶରେ ପର୍ଯ୍ୟାପ୍ତ ଆଖୁ ରହିଛି, ଅନ୍ୟପଟେ ଇଥାନଲ୍ ଉତ୍ପାଦନ ପାଇଁ ଆଖୁର ଏକ ବଡ଼ ଅଂଶ ବ୍ୟବହାର ହେଉଥିବାରୁ ଚିନି ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଛି। ଫଳରେ ଚିନି ଦର ରେକର୍ଡ ସ୍ତରରେ ପହଞ୍ଚିଛି।
ଏହି ପରିସ୍ଥିତିରେ ଦେଶରେ ଚିନି ଆମଦାନୀ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଆମଦାନୀକୁ ସହଜ କରିବା ପାଇଁ ଚିନି ଉପରେ ଲାଗୁଥିବା ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ହଟାଇବା ନେଇ ମଧ୍ୟ ବିଚାର ଚାଲିଥିବା ଜଣାପଡ଼ିଛି। ଚିନି ଦର ବଢ଼ିବାର ଏହି ସମୟ ମଧ୍ୟ ବେଶ୍ ଚିନ୍ତାଜନକ। ଦେଶର ପାର୍ବଣ ଋତୁ ଆସୁଥିବାରୁ ମିଠା ଓ ପ୍ରୋସେସ୍ଡ ଖାଦ୍ୟର ଚାହିଦା ବଢ଼ିବ। ଏହା ଚିନି ଚାହିଦାକୁ ଆହୁରି ବଢ଼ାଇପାରେ।
ମହାରାଷ୍ଟ୍ରର କୋଲ୍ହାପୁର ଭଳି ପ୍ରମୁଖ ଚିନି ବଜାରରେ ଅଗଷ୍ଟ ଆରମ୍ଭରୁ ଚିନିର ହୋଲସେଲ୍ ଦର ପ୍ରାୟ ୨୦ ପ୍ରତିଶତ ବଢ଼ି କିଲୋ ପିଛା ପ୍ରାୟ ୫୩.୫ ଟଙ୍କା ହୋଇଛି। ଅନ୍ୟପକ୍ଷରେ, ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁସାରେ ଅଗଷ୍ଟ ୧୮ରେ ଦେଶର ହାରାହାରି ଖୁଚୁରା ଚିନି ଦର କିଲୋ ପିଛା ୫୨.୩ ଟଙ୍କା ରହିଥିଲା।
ବିଶେଷଜ୍ଞଙ୍କ ମତରେ, ଇଥାନଲ୍ ଉତ୍ପାଦନ ପାଇଁ ଆଖୁର ବଢ଼ୁଥିବା ବ୍ୟବହାର ଏହି ସଙ୍କଟର ଏକ ପ୍ରମୁଖ କାରଣ। ଭାରତ E20 ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଥିବା ବେଳେ ଇନ୍ଧନ ସୁରକ୍ଷା ଓ ଖାଦ୍ୟ ସାମଗ୍ରୀର ଦର ମଧ୍ୟରେ ନୂଆ ନୀତିଗତ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।