ପୁରୀ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଓ ପ୍ରବେଶ ପାଇଁ ପୁରୀବାସୀଙ୍କ ଆନ୍ଦୋଳନ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ପ୍ରଣୟନ ଦାବିରେ ପୁରୀବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ତଥା ନୀରବ ସତ୍ୟାଗ୍ରହ ଜାରି ରହିଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଏହି ସତ୍ୟାଗ୍ରହ ଚାଲିଥିବା ବେଳେ, ଏପ୍ରିଲ ୧ ତାରିଖରୁ ପୁରୀ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ପ୍ରତ୍ୟେକ ଦିନ ନୀରବ ପଦଯାତ୍ରା କରାଯାଉଛି।
ପୁରୀବାସୀ ନିଜକୁ ମହାପ୍ରଭୁଙ୍କ ସେବକ ଓ ନିକଟତମ ଭକ୍ତ ଭାବେ ମନେ କରୁଥିବାରୁ ଦର୍ଶନ କ୍ଷେତ୍ରରେ ସେମାନଙ୍କର ସ୍ୱତନ୍ତ୍ର ଅଧିକାର ରହିବା ଉଚିତ୍ ବୋଲି ଦାବି କରୁଛନ୍ତି।
ସୂଚନା ଥାଉକି ଚିତାଲାଗି ଅମାବାସ୍ୟା ଦିନ ପୁରୀବାସୀଙ୍କୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ଅନୁମତି ମିଳିଥିଲା। ତେବେ ପରବର୍ତ୍ତୀ ଦିନ ଏହି ପ୍ରବେଶ ଅନୁମତି ବନ୍ଦ କରାଯିବା ପରେ ଏହାର ପ୍ରତିବାଦରେ ଆନ୍ଦୋଳନ ଆରମ୍ଭ ହୋଇଛି। ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନରେ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବାକୁ ‘ସ୍ୱତନ୍ତ୍ର ସୁବିଧା ମଞ୍ଚ’ ପକ୍ଷରୁ ଦାବି କରାଯାଇଛି। ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକରେ ପୁରୀବାସୀଙ୍କ ପାଇଁ ଆଧାର କାର୍ଡ ମାଧ୍ୟମରେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତେବେ ରଥଯାତ୍ରା ସରିଥିଲେ ମଧ୍ୟ ଏହି ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ଆନ୍ଦୋଳନକାରୀମାନେ ହାତରେ ଆଧାର କାର୍ଡ ଧରି ନୀରବ ପଦଯାତ୍ରା କରୁଛନ୍ତି।ସରକାରୀ ସ୍ତରରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଲାଗୁ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।