ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କର ଗୁରୁବାର ନିଧନ ହୋଇଯାଇଛି । ୧୯୮୪ ଶିଖ ଦଙ୍ଗା ମାମଲାରେ ତିହାଡ଼ରେ ଆଜୀବନ ସଜା କାଟୁଥିବା ସଜ୍ଜନ କୁମାରଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ସଫରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
ସେପ୍ଟେମ୍ବର ୨୩, ୧୯୪୫ ମସିହାରେ ସଜ୍ଜନ କୁମାର ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ଆରମ୍ଭର ହିଁ କଂଗ୍ରେସ ଦଳ ସହିତ ଜଡ଼ିତ ଥିଲେ । ସେ ତିନି ତିନି ଥର ଲୋକସଭା ସାଂସଦ ହୋଇଛନ୍ତି । ୧୯୮୦ ମସିହାରେ ସେ ୭ମ ଲୋକସଭା, ୧୯୯୧ ମସିହା ଏବଂ ୨୦୦୪ ମସିହାରେ ପୁନର୍ବାର ଲୋକସଭାକୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଡିସେମ୍ବର ୧୭, ୨୦୧୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ସେ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଡିସେମ୍ବର ୧୮ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
୪୨ ବର୍ଷ ପୂର୍ବେ ୧୯୮୪ ମସିହା ୧ ଏବଂ ୨ ନଭେମ୍ବର ହୋଇଥିବା ଶିଖ ଦଙ୍ଗାରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ଦଙ୍ଗାରେ ପାଲମ କଲୋନୀ ଅଞ୍ଚଳରେ ହୋଇଥିବା ହିଂସାରେ ୫ ଜଣ ମୃତ୍ୟୁ ବରଣ କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପାଲମ କଲୋନୀରେ ପାଞ୍ଚ ଜଣ ଶିଖଙ୍କୁ ହତ୍ୟା କରିବା ପରେ ଏକ ଗୁରୁଦ୍ୱାରରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଡିସେମ୍ବର ୧୭, ୨୦୧୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ସେପ୍ଟେମ୍ବର ୨୦୨୩ରେ, ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ସୁଲତାନପୁରୀରେ ତିନି ଜଣ ଶିଖଙ୍କୁ ହତ୍ୟା କରିବା ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଦଙ୍ଗା ସମ୍ପର୍କରେ ଜଣେ ପ୍ରମୁଖ ସିବିଆଇ ସାକ୍ଷୀ ଚାମ୍ କୌର ସଜ୍ଜନ ଭିଡ଼କୁ ଉସୁକାଉଥିବାର ଅଭିଯୋଗ କରିଥିଲେ ।
୧୯୮୪ ନଭେମ୍ବର ୧ରେ ଅପରାହ୍ନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଦିଲ୍ଲୀର ସରସ୍ଵତୀ ବିହାରରେ ଯଶବନ୍ତ ସିଂ ଓ ତାଙ୍କ ପୁଅ ତରୁଣଦୀପ ସିଂଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ସଜ୍ଜନ କୁମାରଙ୍କ ନେତୃତ୍ୱରେ ହଜାର ହଜାର ଦଙ୍ଗାକାରୀ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଘରର ସାମଗ୍ରୀ ଲୁଟ୍ କରିବା ସହ ଘରେ ନିଆଁ ଲଗାଇ ଦେଇଥିଲେ। ବାପା ଓ ପୁଅଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ପରିବାରର ଅନ୍ୟ ସଦସ୍ୟଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା । ଘଟଣାର ଦେଢ଼ ମାସ ପରେ ଏକ ପତ୍ରିକାରେ ସଜ୍ଜନଙ୍କ ଫଟୋକୁ ଦେଖି ପୀଡ଼ିତା ତାଙ୍କୁ ଚିହ୍ନଟ କରିଥିଲେ ।
ସଜ୍ଜନଙ୍କ ବିରୁଦ୍ଧରେ ମୋଟ ତିନୋଟି ମାମଲା ରହିଥିବାବେଳେ ଗୋଟିଏ ମାମଲାରେ ଦୋଷ ମୁକ୍ତ ହୋଇଥିଲେ । ଚଳିତ ବର୍ଷ ଜାନୁଆରୀରେ, ଦିଲ୍ଲୀ କୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ ଜନକପୁରୀ ଅଞ୍ଚଳରେ ହିଂସାକୁ ଉସକାଇବା ସହିତ ଜଡିତ ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ କରିଥିଲେ। ଦିଲ୍ଲୀ କୋର୍ଟ ରାୟ ଦେଇଥିଲା ଯେ ସୋହନ ସିଂହ ଏବଂ ତାଙ୍କ ଜ୍ୱାଇଁ ଅବତାର ସିଂହଙ୍କ ହତ୍ୟାରେ ତାଙ୍କ ଦୋଷ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ପ୍ରମାଣ ଅଭାବରୁ ଗୋଟିଏ ମାମଲାରେ ସେ ଦୋଷ ମୁକ୍ତ ହୋଇଥିଲେ ।