ନୂଆଦିଲ୍ଲୀ: ଲିଭ୍-ଇନ୍ ସମ୍ପର୍କ ବିବାହ ସହିତ ସମାନ । ଏଥିରେ ବାପା ମାଆ କିମ୍ବା କୌଣସି ବନ୍ଧୁ ହସ୍ତକ୍ଷେପ କରି ପାରିବେ ନାହିଁ । ଲିଭ୍-ଇନ୍ ସମ୍ପର୍କ ବା ବିବାହ ପୂର୍ବରୁ ଏକାଠି ରହୁଥିବା ଯୁବକ ଯୁବତୀଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ।
ଦିଲ୍ଲୀ ହାଇକୋର୍ଟ ବିଚାରପତି ସୌରଭ ବାନାର୍ଜୀ ଆଜି ଏକ ଲିଭ୍-ଇନରେ ରହୁଥିବା ଯୁବତୀଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ଥିବା ବିପଦର ଆବେଦନର ଶୁଣାଣି କରି କହିଛନ୍ତି । ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଲିଭ୍-ଇନ୍ ସମ୍ପର୍କ ବିବାହ ସହିତ ସମାନ ଅଟେ । ଏଠି ଉଭୟ ଯୁବତ ଯୁବତୀ ସାବାଳକ ଏବଂ ସାବାଳିକା ଅଟନ୍ତି । ପରିବାର ସଦସ୍ୟଙ୍କଠାରୁ ବନ୍ଧୁ ପର୍ଯ୍ୟନ୍ତ କେହି ସେମାନଙ୍କ ପସନ୍ଦରେ ହସ୍ତକ୍ଷେପ କରିପାରିବେ ନାହିଁ। ସେମାନଙ୍କର ନିଜର ଜୀବନସାଥି ବାଛିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ତେଣୁ ସେମାନଙ୍କୁ କେହି ବିପଦରେ ପକାଇ ପାରିବେ ନାହିଁ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ମତିପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ବିବାହକୁ ଜାତି, ଧର୍ମ, ରଙ୍ଗ, ଧର୍ମ କିମ୍ବା ବିଶ୍ୱାସ ନିର୍ବିଶେଷରେ ସ୍ୱୀକୃତି ଦିଆଯାଇଛି । ସାମାଜିକ ନୈତିକତା ଏବଂ ପକ୍ଷପାତ ଯୋଗୁଁ ସେମାନଙ୍କର ମୌଳିକ ଅଧିକାରକୁ ହ୍ରାସ କରିବା ଜଣେ ବ୍ୟକ୍ତିଙ୍କୁ ତାଙ୍କର ବ୍ୟକ୍ତିଗତ ପରିଚୟରୁ ବଞ୍ଚିତ କରିବା ସହିତ ସମାନ । ଏହି ମାମଲାରେ ହାଇକୋର୍ଟ ଉଭୟ ଯୁବକ ଯୁବତୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ କହିଛନ୍ତି ।