ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ କିଛି ଡକାୟତି ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି । ଏଥିରେ ୮ ଜଣ ମୁଖା ପିନ୍ଧା ଡକାୟତ ସାମିଲ ଥିବା ସେ କହିଛନ୍ତି ।
ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ପ୍ରାୟ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦହଣା ଗ୍ରାମର ଉମେଶ ଚନ୍ଦ୍ର ରଥଙ୍କ ଘରେ ପଶିଥିଲେ । ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଦୁର୍ବୃତ୍ତମାନେ ଉମେଶଙ୍କୁ ଆକ୍ରମଣ କରିଥିବା ସହ ପ୍ରବଳ ମାଡ଼ ମାରିଥିଲେ । ଏହା ପରେ ହାତ ବାନ୍ଧି ବେକରେ ଭୁଜାଲି ରଖି କାବୁ କରିନେଇଥିଲେ । ସେପଟେ ଅନ୍ୟ ଏକ ବଖରାରେ ଶୋଇଥିବା ତାଙ୍କ ସ୍ତ୍ରୀ ପୁଷ୍ପଲତା ଦାଶଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରବଳ ମାଡ଼ ମାରିବା ସହିତ ତାଙ୍କ ହାତ ବାନ୍ଧି ବେକରେ ଭୁଜାଲି ରଖି ଥିଲେ । ଏହାପରେ ଦୁର୍ବୃତ୍ତମାନେ ପୁଷ୍ପଲତାଙ୍କ ସୁନା କାନଫୁଲ ଟାଣି କାନ ଛିଡାଇ ଦେଇଥିଲେ । ପରେ ଆଲମାରି ଭାଙ୍ଗି ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ନଗଦ, ୫ ତୋଳା ଓଜନର ଗୋଟିଏ ସୁନା ହାର, ୨ଟି ସୁନା ମୁଦି, ଗୋଟିଏ ସୁନା କାନ ଫୁଲ, ୨ ଟି ସୁନା ଲକେଟ୍ ଓ ମଙ୍ଗଳ ସୂତ୍ର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ।
ଉମେଶ ଚନ୍ଦ୍ର ତୁରନ୍ତ ପୋଲିସକୁ ରାତାରାତି ଫୋନ କରି ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ନିକଟସ୍ଥ ସିସିଟିଭି ଯାଞ୍ଚ କରିଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି ।