ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି। ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତର ଏକ ସୁନାମଧନ୍ୟ ନାମ। ନିଜର ସୁମଧୁର କଣ୍ଠ, ଭାବପୂର୍ଣ୍ଣ ଗାୟନ ଶୈଳୀ ଓ ସୁରିଲା ପରିବେଷଣ ମାଧ୍ୟମରେ ସେ ପ୍ରାୟ ପାଞ୍ଚ ପିଢ଼ିର ଶ୍ରୋତାଙ୍କ ହୃଦୟରେ ଅଭୁଲା ଛାପ ଛାଡ଼ିଯାଇଛନ୍ତି। ତାଙ୍କ କଣ୍ଠରେ ଗାଇଥିବା ଅସଂଖ୍ୟ ଗୀତ ଆଜି ବି ସଙ୍ଗୀତପ୍ରେମୀଙ୍କ ମନରେ ଗୁଞ୍ଜରିତ ହେଉଛି।
‘ମାଝିରେ ଠୁ’ ଠାରୁ ଆରମ୍ଭ କରି ‘ନିଝୁମ ରାତି’ ପର୍ଯ୍ୟନ୍ତ ଏମିତି ଅନେକ କାଳଜୟୀ ଗୀତକୁ ସେ ନିଜ କଣ୍ଠରେ ଜୀବନ୍ତ କରିଥିଲେ। ଓଡ଼ିଆ ଆଧୁନିକ, ଭକ୍ତିମୂଳକ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କ ଅବଦାନ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ଓଡ଼ିଆ ଚଳଚିତ୍ରରେ ସେ ପ୍ରାୟ ୨୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। କେବଳ ଚଳଚ୍ଚିତ୍ର ଗୀତ ନୁହେଁ, ବରଂ ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଏବଂ ଗଜଲ୍ ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିଥିଲେ। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ୨୦୧୬ ରେ ସମ୍ମାନିତ କରାଯାଇଥିଲା ।
ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ସଙ୍ଗୀତଶିଳ୍ପୀ, କଳାକାର ଓ ଅଗଣିତ ଶ୍ରୋତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି। ପ୍ରଣବ ପଟ୍ଟନାୟକଙ୍କ ସୁରିଲା କଣ୍ଠ ଓ ସଙ୍ଗୀତ ପ୍ରତି ଅମୂଲ୍ୟ ଅବଦାନ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ।