ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧୁରିନଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ। ଗତ ତିନି ଦିନ ଧରି ଶୁଖିଲା ପାଗ ସହ ଗୁଳୁଗୁଳି ଅନୁଭୂତ ହେଉଥିଲେ ମଧ୍ୟ ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା ଜୋର ଧରିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୨ ଅଗଷ୍ଟ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ଝଡ଼ବର୍ଷା ହୋଇପାରେ।
ପାଣିପାଗ ବିଭାଗ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରିଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ସମେତ ମୋଟ ୧୩ ଜିଲ୍ଲାରେ ବଜ୍ରପାତ ଓ ଝଡ଼ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଲାଗି ରହିବ, ଯାହା ଫଳରେ ତଳିଆ ଅଞ୍ଚଳ ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସତର୍କତା ଜରୁରୀ ହୋଇପଡ଼ିଛି।