ବଲାଙ୍ଗିର: ଗୁଣିଗାରେଡ଼ି ବିଦ୍ୟା ହାସଲ ପାଇଁ ବନ୍ଧୁକୁ ବଳି ପକାଇ ଦେଲା ବନ୍ଧୁ । ସାଙ୍ଗର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ମୁଣ୍ଡକୁ ଘରେ ଭିତରେ ପୋତିଦେଲା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ପର୍ଦ୍ଦାଫାସ କରିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ପୋଲିସ । ମୃତକ ହେଲେ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ (୪୫) । ଅଭିଯୁକ୍ତ ସାଙ୍ଗ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁକୁ ପୋଲିସ ଗିରଫ କରିଛି ।
ଗତ ସପ୍ତାହ ଗୁରୁବାର ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟ ପୋଖରୀରେ ଏକ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଦେଓଗାଁ ପୋଲିସକୁ ଖବର ଦେଇଥିଲେ । ପୋଲିସ ପୋଖରୀ ଭିତରୁ ଗଳିତ ମୁଣ୍ଡ ବିହୀନ ମୃତ ଦେହକୁ ଉଦ୍ଧାର କରିଥିଲା । ଏହା ଏକ ହତ୍ୟା କାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରିଥିଲା । ଏହା ପରେ ଉକ୍ତ ମୃତ ଦେହଟି ୫ ଦିନ ହେବ ନିଖୋଜ ନିଖୋଜ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲଙ୍କ ବୋଲି ଚିହ୍ନଟ କରିଥିଲା । ପରିବାର ଲୋକେ ମଧ୍ୟ ମୃତ ଦେହକୁ ଚିହ୍ନଟ କରିଥିଲେ ।
ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ପଚରାଉଚରା ପରେ ସନ୍ତୋଷ ବଗଡ଼ା ଗ୍ରାମର ତାଙ୍କ ବନ୍ଧୁ ଶତ୍ରୁଘ୍ନଙ୍କ ସହିତ ଯାଇଥିଲେ ବୋଲି ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ଶତ୍ରୁଘ୍ନକୁ ପୋଲିସ ଉଠାଇ ନେଇ ପଚରାଉଚରା କରିଥିଲା । ଶତ୍ରୁଘ୍ନ ପ୍ରଥମେ ହତ୍ୟା ଅଭିଯୋଗକୁ ସ୍ୱୀକାର କରିଥିଲା । ତଥାପି ପୋଲିସକୁ ଶତ କହିନଥିଲା । ସେ ଉଭୟ ମୁଣ୍ଡ ଏବଂ ଶରୀରକୁ ପୋଖରୀରେ ଫିଙ୍ଗିଥିବା କହିଥିଲା । ପୋଲିସ ଅଗ୍ନିଶମ ବାହିନୀ ସହାୟତା ବହୁତ ଖୋଜାଖୋଜି କରିବା ପରେ ମୁଣ୍ଡ ମିଳିନଥିଲା । ଏହା ପରେ ଶତ୍ରୁଘ୍ନ ସତ କହିଥିଲା । ସେ ମୁଣ୍ଡକୁ ତା ଘରେ ପୋତି ଥିବା ସତ ମାନିଥିଲା ।
ପୋଲିସ ଯାଞ୍ଚ କରି ତା ଘରୁ ଏକ କଟା ମୁଣ୍ଡକୁ ଉଦ୍ଧାର କରିଥିଲା । ଯେଉଁଥିରେ ଫୁଲ, ସିନ୍ଦୁର ଓ ବେଲପତ୍ର ଦିଆଯାଇ ପୂଜା କରାଯାଇଥିଲା । ଗୁଣିଗାରେଡ଼ି ବିଦ୍ୟା ପାଇଁ ଶତ୍ରୁଘ୍ନ ଏପରି କରିଥିବା କହିଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।