କଟକ: ବନ୍ୟାର ପ୍ରଭାବ ଏବେ ସିଧାସଳଖ ଲୋକଙ୍କ ରୋଷେଇ ଘର ଉପରେ ପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ କଟକର ପ୍ରମୁଖ ଛତ୍ରବଜାରରେ ମଧ୍ୟ ଖାଉଟିଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ବନ୍ୟା ଯୋଗୁଁ ଶହ ଶହ ହେକ୍ଟର ପରିବା ଚାଷ ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ ଚାଷୀଙ୍କ କ୍ଷେତରେ ପାଣି ପଶିବାରୁ ବଜାରକୁ ସ୍ଥାନୀୟ ପରିବାର ଯୋଗାଣ ହଠାତ୍ କମିଯାଇଛି। ଯୋଗାଣ କମିବା ସହିତ ଦର ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
ଅନ୍ୟପଟେ ଏବେ ଶ୍ରାବଣ ମାସ ଚାଲିଥିବାରୁ ନିରାମିଷ ପରିବାର ଚାହିଦା ମଧ୍ୟ ବଢ଼ିଛି। ଗୋଟିଏ ପଟେ ବନ୍ୟାରେ ଫସଲ କ୍ଷତି, ଅନ୍ୟପଟେ ବଢ଼ୁଥିବା ଚାହିଦା ଏହି ଦୁଇଟି କାରଣର ପ୍ରଭାବ ସିଧାସଳଖ ବଜାର ଦର ଉପରେ ପଡ଼ିଛି।
କଟକ ଛତ୍ରବଜାରରେ ଆଜିର ପରିବା ଦର ଏପରି ରହିଛି। ବାଇଗଣ କିଲୋ ପ୍ରତି ୭୦ ଟଙ୍କା, ପୋଟଳ ୧୨୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, କାଙ୍କଡ଼ ୭୦ ଟଙ୍କା, କଞ୍ଚା ଲଙ୍କା ୧୨୦ ଟଙ୍କା, ବିଲାତି ଓ କୁନ୍ଦୁରି ୪୦ ଟଙ୍କା ଲେଖାଏଁ ବିକ୍ରି ହେଉଛି। ସେହିପରି ଫୁଲକୋବି ୩ଟିକୁ ୧୦୦ ଟଙ୍କା, କଖାରୁ ୩୦ ଟଙ୍କା, କଲରା ୬୦ ଟଙ୍କା, ଗାଜର ୪୦ ଟଙ୍କା, ସାରୁ ୪୦ ଟଙ୍କା ଏବଂ ସବୁଠାରୁ ଦାମୀ ବିମ୍ କିଲୋ ପ୍ରତି ୧୬୦ ଟଙ୍କାରେ ବିକ୍ରି ହେଉଛି।
ବ୍ୟବସାୟୀଙ୍କ କହିବା ଅନୁସାରେ, ବନ୍ୟା ପରେ ସ୍ଥାନୀୟ ଉତ୍ପାଦନ କମିଥିବାରୁ ବାହାର ଅଞ୍ଚଳରୁ ପରିବା ଆଣିବାକୁ ପଡ଼ୁଛି। ପରିବହନ ଖର୍ଚ୍ଚ ବଢ଼ିବା ସହିତ ସୀମିତ ଯୋଗାଣ ଯୋଗୁଁ ଦର ଏବେ ସାଧାରଣ ଲୋକଙ୍କ ବଜେଟ୍କୁ ପ୍ରଭାବିତ କରୁଛି। ଯଦି ଆଗାମୀ ଦିନରେ ପରିବାର ଯୋଗାଣ ସ୍ୱାଭାବିକ ନ ହୁଏ, ତେବେ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ବନ୍ୟାର ପ୍ରଭାବ ଏବେ କେବଳ ଚାଷୀଙ୍କ କ୍ଷେତରେ ନୁହେଁ, ପ୍ରତ୍ୟେକ ପରିବାରର ରୋଷେଇ ଖର୍ଚ୍ଚରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି।