ଭୁବନେଶ୍ୱର: ନିଜର ଅଧିକାର ପାଇଁ ଲଢ଼ୁଥିବା ଅନଲାଇନ୍ ଅଟୋ ଟ୍ୟାକ୍ସି ଡ୍ରାଇଭର ସଂଘ ଆନ୍ଦୋଳନବେଳେ ଯେଉଁ ହିଂସା ପ୍ରଦର୍ଶନ କରିଥିଲା ସେଥିପାଇଁ କ୍ଷମା ପ୍ରାର୍ଥନା କରିଛି । ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ସଭାପତି ଦୀନବନ୍ଧୁ ନାୟକ ଏକ ଭିଡ଼ିଓ ଜାରି କରି କ୍ଷମା ମାଗିଛନ୍ତି ।
ଦୀନବନ୍ଧୁ ଭିଡ଼ିଓରେ ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି । ଆନ୍ଦୋଳନବେଳେ ଯାହା ଘଟିଲା ତାହା ହେବାର ନ ଥିଲା । ସେଥିପାଇଁ ସେ ବହୁତ ଦୁଃଖିତ । ଜନସାଧାରଣଙ୍କର ହୋଇଥିବା ଅସୁବିଧା ପାଇଁ ସଂଘ ଦୁଃଖ ପ୍ରକାଶ କରିଛି । ସେମାନଙ୍କ ଭୁଲକୁ ସ୍ୱୀକାର କରିଛନ୍ତି । ଏଥିପାଇଁ ତାଙ୍କୁ ଯେତେବେଳେ ଗାଳି ଦେବାର କଥା ଗାଳି ଦିଅନ୍ତୁ ବୋଲି ସେ କହିଛନ୍ତି । ଏହି ଭୁଲ ହେବାର ନ ଥିଲା । ହିଂସା ଘଟଣାରେ ରାଜନୀତି ଉଦ୍ଦେଶ୍ୟ ଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ କୌଣସି ବିଦେଶୀ ପଣ୍ଡିଂ ଆସିନି । ସମସ୍ତେ ଖଟିଖିଆ ଅଟୋ, ଟ୍ୟାକ୍ସି ଓ ବାଇକ ଚାଳକ । ସେମାନେ ୨୦୧୬ରୁ ଆନ୍ଦୋଳନ କରିଆସୁଥିଲେ । ମାତ୍ର ଦାବି ପୂରଣ ନ ହେବାରୁ ପରେ ବିଶ୍ୱାସ ହରାଇଥିଲେ । ବାରମ୍ବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବା ପରେ ଆକ୍ରୋଶର ପ୍ରତିଫଳନ ବୋଲି ଦୀନବନ୍ଧୁ କହିଛନ୍ତି ।
ଏହା ସହିତ ଦୀନବନ୍ଧୁ, ଭୁବନେଶ୍ୱର କମିଶନରେଟ୍ ପୋଲିସ ଡିସିପି ଜଗମୋହନ ମୀନାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଡିସିପି ଯେଉଁ ଗୁଣ୍ଡା ଶବ୍ଦ ବ୍ୟବହାର କରିଛନ୍ତି ତାହା ତାଙ୍କୁ ବହୁତ ଦୁଃଖ ଦେଇଛି । ସମସ୍ତେ କିଛି ବ୍ୟବସାୟ ହରାଇବା ପରେ କିମ୍ବା ଚାକିରୀ ନ ପାଇବା ପରେ ଡ୍ରାଇଭର୍ ଜୀବିକାଙ୍କୁ ଆପଣାଇଛନ୍ତି । ସେମାନେ କେହି ଗୁଣ୍ଡା ନୁହଁନ୍ତି । ଡିସିପି ମାଇଲେଜ୍ ନେବା ପାଇଁ ଆମକୁ ଗୁଣ୍ଡା ସଜେଇ ଦେଲେ ବୋଲି ଦୀନବନ୍ଧୁ କହିଛନ୍ତି ।
ସେପଟେ ଘଟଣା ପରଠାରୁ ସଭାପତି ଦୀନବନ୍ଧୁ ନାୟକ ଫେରାର ଅଛନ୍ତି । କମିଶନରେଟ୍ ପୋଲିସ ତାଙ୍କୁ ଖୋଜୁଛି । କିନ୍ତୁ ତିନି ଦିନ ପରେ ତାଙ୍କର କୌଣସି ଖୋଜ ଖବର ନାହିଁ ।
ଉଲ୍ଲେଖ ଯୋଗ୍ୟ, ଗତ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନ କରୁଥିବାବେଳେ ଅନଲାଇନ୍ ଗାଡ଼ି ଚାଳକମାନେ ଆମ ବସକୁ ଆକ୍ରମଣ କରିଥିଲେ । ପ୍ରାୟ ୧୪ଟି ବସକୁ ଭାଙ୍ଗିଥିଲେ । ଏହି ଆନ୍ଦୋଳନରେ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ପୋଲିସ କହିଛି ।