କେନ୍ଦ୍ରାପଡ଼ା (ରାଜନଗର): ଗ୍ରାମ୍ୟ ବିବାଦ ଏତେ ନିଷ୍ଠୁର ହୋଇପାରେ କି, ଯେ ଜଣେ ମୃତ ବ୍ୟକ୍ତିଙ୍କୁ ମଧ୍ୟ ଶେଷ ସମ୍ମାନ ମିଳିବ ନାହିଁ? କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା।
ଗାଁର ସବିତା ଶାସମାଲ ଗତ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ତାଳଚୁଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା। ପରେ ନିୟମ ଅନୁଯାୟୀ ମୃତଦେହକୁ ତାଙ୍କ ବୋହୂଙ୍କୁ ହସ୍ତାନ୍ତର କରାଯାଇଥିଲା।
ହେଲେ ସେହିଠାରୁ ଆରମ୍ଭ ହୋଇଥିଲା ଦୁଃଖର ଆଉ ଏକ ଅଧ୍ୟାୟ। ଅଭିଯୋଗ ଅନୁସାରେ, ଗ୍ରାମବାସୀ ଓ ସବିତାଙ୍କ ପରିବାର ମଧ୍ୟରେ ପୂର୍ବରୁ ଥିବା ବିବାଦ କାରଣରୁ କେହି ମଧ୍ୟ ଶବ ସତ୍କାର ପାଇଁ ଆଗକୁ ଆସୁନାହାନ୍ତି। ଫଳରେ ତିନି ଦିନ ହେଲା ମୃତଦେହ ଘରେ ପଡ଼ି ରହିଛି ଏବଂ ଶାଶୁଙ୍କ ଶବ ପାଖରେ ଅସହାୟ ଭାବେ ବସି ରହିଛନ୍ତି ବୋହୂ।
ବୋହୂଙ୍କ କହିବା ଅନୁସାରେ, ସେ ଗାଁ ଲୋକଙ୍କଠାରୁ ଆରମ୍ଭ କରି ଜ୍ଞାତିକୁଟୁମ୍ବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି। କିନ୍ତୁ କେହି ମଧ୍ୟ ଶେଷକୃତ୍ୟରେ ସହଯୋଗ କରୁନଥିବାରୁ ସେ ଚରମ ଅସହାୟ ପରିସ୍ଥିତିରେ ରହିଛନ୍ତି।
ଏହି ଘଟଣା କେବଳ ଏକ ପାରିବାରିକ ବିବାଦ ନୁହେଁ, ବରଂ ମାନବିକତା ଉପରେ ଏକ ବଡ଼ ପ୍ରଶ୍ନ ଠିଆ କରିଛି। ଗ୍ରାମ୍ୟ ବିବାଦ ପାଇଁ କଣ ଜଣେ ମୃତ ବ୍ୟକ୍ତିଙ୍କୁ ଶେଷ ସମ୍ମାନରୁ ବଞ୍ଚିତ କରାଯାଇପାରେ? ବର୍ତ୍ତମାନ ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମୃତଦେହର ସତ୍କାର ବ୍ୟବସ୍ଥା କରିବା ସହ ବିବାଦର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।