ଅନୁଗୋଳ: ଲୋକ ସେବା ଭବନରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତଦନ୍ତ ଫାଇଲ୍ ହଜିବା ସାଧାରଣ ଅବହେଳା ନୁହେଁ ବରଂ ଅପରାଧୀଙ୍କୁ ବଞ୍ଚାଇବାକୁ କରାଯାଇଛି ସାଂଘାତିକ ଷଡ଼ଯନ୍ତ୍ର । ସ୍ୱାମୀଜୀଙ୍କ ପ୍ରତିଟି ରକ୍ତ ଟୋପାକୁ ମିଳିବ ନ୍ୟାୟ । ଆଜି ସ୍ୱାମୀଜୀଙ୍କ ଶତବାର୍ଷିକ ଉତ୍ସବରେ ବିଜେଡ଼ିକୁ ଟାର୍ଗେଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଆୟୋଜିତ ହୋଇଛି । ଲକ୍ଷ୍ମଣାନନ୍ଦଙ୍କ ଜନ୍ମମାଟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଗୁରୁଜାଙ୍ଗ ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲେ । ଏହା ପରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ । ପରେ ପାଖରେ ଥିବା ସାଧାରଣ ସଭାରେ ଯୋଗଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଗୁଣଗାନ କରିଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜଣେ କେବଳ ବ୍ୟକ୍ତି ନ ଥିଲେ , ଅଲୌକିକ ଅନୁଷ୍ଠାନ, ମହାନ ଆଦର୍ଶ ଓ ସନାତନ ଧର୍ମର ଦୀପ୍ତିମନ୍ତ ମାର୍ଗଦର୍ଶକ , ଆମ ସମାଜର ଗୁରୁ ଗ୍ରନ୍ଥ ଓ ଗାରିମା । ତାଙ୍କ ନାମରେ ହିଁ ଲୁଚି ରହିଥିଲା ଗୁଣର ମହତ୍ତ୍ୱ । ଆଜିର ଆଧୁନିକ ଯୁଗରେ ଲୋକେ ଭୋଗ ବିଳାସ ସୁଖ ସୁବିଧା ପଛରେ ଗୋଡ଼ାଉଥିବାବେଳେ ସେହି ସମୟରେ ସ୍ୱାମୀଜୀ କନ୍ଧମାଳର ଦୁର୍ଗମ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଲୋକଙ୍କୁ ସହାୟତା କରୁଥିଲେ ।
ସେ ପ୍ରତିକୂଳ ପରିସ୍ଥିତିରେ ହାର ମାନି ନ ଥିଲେ । ଆଦିବାସୀ ଝିଅଙ୍କୁ ସଂସ୍କୃତରେ ଶିକ୍ଷାଦାନ କରି ସ୍ୱାବଲମ୍ବୀ କରି ଗଢ଼ି ତୋଳିବାରେ ପଣ କରିଥିଲେ, ଶପଥ କରିଥିଲେ ଏବଂ ଦାୟିତ୍ୱ ନେଇଥିଲେ । ଆଜି ବନବାସୀ ଅଞ୍ଚଳରେ ଜନଜାତି ପରମ୍ପରା ନିଜର ସଂସ୍କୃତି ଓ ସନାତନ ଧର୍ମକୁ ନେଇ ଗର୍ବ ଅନୁଭବ କରୁଛନ୍ତି । ତାଙ୍କର ବଳିଦାନ ଅନ୍ୟାୟ ଓ ଅଧର୍ମ ବିରୁଦ୍ଧରେ ଲଢ଼ିବାକୁ ସାହାସ ଦେଉଛି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ମୋହନ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଜନ୍ମାଷ୍ଟମୀ ରାତିରେ ନିର୍ଦ୍ଦୟ ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା । ତତ୍କାଳୀନ ସରକାର ସ୍ୱାମୀଜୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାରେ ଅବହେଳା କରାଯାଇଥିଲା । କେବଳ ଆତ୍ମ ସନ୍ତୋଷ ପାଇଁ ପୂର୍ବ ସରକାର ସ୍ୱାମୀଜୀଙ୍କ ସୁରକ୍ଷା ଓ ନ୍ୟାୟକୁ ବଳି ପକାଇଦେଇଥିଲେ ।
ତଦନ୍ତ ଫାଇଲ୍ ହଜିବା ଅବହେଳା ନୁହେଁ ସାଂଘାତିକ ଷଡ଼ଯନ୍ତ୍ର
ମୁଖ୍ୟମନ୍ତ୍ରୀ ତଦନ୍ତ ଫାଇଲ୍ ଗାୟବ ପ୍ରସଙ୍ଗ ଉଠାଇଛନ୍ତି । ସ୍ୱାମୀଜୀଙ୍କ ହତ୍ୟାର ଦୁଇଟି ତଦନ୍ତ ଫାଇଲ୍ ଜଷ୍ଟିସ୍ ମହାପାତ୍ର ତଦନ୍ତ ଫାଇଲ ଏବଂ ଜଷ୍ଟିସ୍ ନାଇଡୁ କମିଶନ ତଦନ୍ତ ଫାଇଲ୍ ଷଡ଼ଯନ୍ତ୍ର କରି ଗାଏବ କରି ଦିଆଯାଇଛି । ଲୋକସେବା ଭବନରୁ ସ୍ୱାମୀଜୀଙ୍କ ତଦନ୍ତ ଫାଇଲ୍ ହଜିବା ସାଧାରଣ ଅବହେଳା ନୁହେଁ ବରଂ ଅପରାଧୀଙ୍କୁ ବଞ୍ଚାଇବାକୁ କରାଯାଇଛି ସାଂଘାତିକ ଷଡ଼ଯନ୍ତ୍ର । ମୁଖ୍ୟମନ୍ତ୍ରୀ ସଭା ମଞ୍ଚରୁ ଦୃଢ଼ ଆଶ୍ୱସନା ଦେଇଛନ୍ତି ଯେ ସତ୍ୟର ଉନ୍ମୋଚନ ହେବ ଏବଂ ସ୍ୱାମୀଜୀଙ୍କ ପ୍ରତିଟି ରକ୍ତ ବୁନ୍ଦାକୁ ନ୍ୟାୟ ମିଳିବ ।
ଶତବାର୍ଷିକ ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଛନ୍ତି ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ଅନୁଗୋଳ ଏସପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।