ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାପକାମୁଡ଼ାରେ ଦାଦା ଓ ପୁତୁରାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ମୃତକ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି । ଗୁରୁତର ହେଲେ ତୁଳସୀ ବଗର୍ତ୍ତୀ ।
ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗୋଲଧାଠାରେ ଏକ ବ୍ରିଜ୍ ନିର୍ମାଣ କାମ ଚାଲିଛି । ଶ୍ରମିକମାନେ ଶିବିର ପକାଇ ରହିଛନ୍ତି । ଗତକାଲି ରାତିରେ ସମସ୍ତ ଶ୍ରମିକ ଶୋଇଥିବାବେଳେ ତିନି ଜଣ ଶ୍ରମିକ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅନ୍ୟ ଶ୍ରମିକମାନେ ତୁରନ୍ତ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଦଇତାରି ତାଣ୍ଡି ଓ ଭରତ ତାଣ୍ଡିଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ତୁଳସୀ ବଗର୍ତ୍ତୀ ଗୁରୁତର ଅଛନ୍ତି ।
ପ୍ରାଥମିକ ଯାଞ୍ଚରୁ ସାପ କାମୁଡ଼ାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।