ଭୁବନେଶ୍ୱର: ରୁଫଟପ୍ ସୋଲାର କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶା ଦେଶରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ରାଜ୍ୟରେ ସ୍ୱଚ୍ଛ ଶକ୍ତି ପ୍ରତି ବଢ଼ୁଥିବା ଲୋକଙ୍କ ଆଗ୍ରହର ପ୍ରତିଫଳନ ବୋଲି କୁହାଯାଉଛି।
ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE) ତଥ୍ୟ ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୧.୭୪ ଲକ୍ଷ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ହୋଇଥିବା ବେଳେ ୩.୧୨ ଲକ୍ଷରୁ ଅଧିକ ଆବେଦନ ଆସିଛି।
ଯୋଜନା ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବଢ଼ିଛି। ଆବେଦନ ସଂଖ୍ୟା ୧,୯୫,୫୧୩ରୁ ବଢ଼ି ୩,୧୨,୫୨୭ରେ ପହଞ୍ଚିଥିବା ବେଳେ ସ୍ଥାପନ ସଂଖ୍ୟା ୭୨,୫୩୮ରୁ ବଢ଼ି ୧.୭୪ ଲକ୍ଷକୁ ଛୁଇଁଛି। ଏହା ସହ ଆବେଦନରୁ ସ୍ଥାପନର ରୂପାନ୍ତର ହାର ୩୭.୧%ରୁ ବଢ଼ି ୫୩.୪% ହୋଇଛି।
ଟାଟା ପାୱାର କହିଛି ଯେ, କେନ୍ଦ୍ର ସରକାରଙ୍କ ସବସିଡି ସହ ରାଜ୍ୟ ସରକାରଙ୍କ ଅତିରିକ୍ତ ଆର୍ଥିକ ସହାୟତା ଯୋଗୁଁ ଏହି ସଫଳତା ମିଳିଛି। ଯୋଗ୍ୟ ଘରୋଇ ଉପଭୋକ୍ତାମାନେ ୩ kWp ରୁଫଟପ୍ ସୋଲାର ସିଷ୍ଟମ୍ ପାଇଁ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ।
ରାଜ୍ୟ ସରକାର ୨୦୨୭ ସୁଦ୍ଧା ୩ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନ କରିବାର ଲକ୍ଷ୍ୟ ରଖିଛନ୍ତି। TPCODL, TPWODL, TPNODL ଓ TPSODL ଏହି ଯୋଜନାର କାର୍ଯ୍ୟକାରିତାକୁ ଆଗେଇ ନେଉଛନ୍ତି। ନେଟ୍ ମିଟରିଂ, ସାଇଟ୍ ଯାଞ୍ଚ, କମିଶନିଂ ଓ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଘରୋଇ ଉପଭୋକ୍ତାଙ୍କୁ ସୋଲାର ଶକ୍ତି ସହ ଯୋଡ଼ାଯାଉଛି।
ବର୍ତ୍ତମାନ ଓଡ଼ିଶା ପ୍ରାୟ ୪୧୦ ମେଗାୱାଟ୍ ପିକ୍ (MWp) ରୁଫଟପ୍ ସୋଲାର କ୍ଷମତା ହାସଲ କରି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।