ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତି ଏବେବି ଚିନ୍ତାଜନକ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ପ୍ରଭାବିତ ଅଞ୍ଚଳ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଜାରି ରହିଛି।
ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ତଥ୍ୟ ଅନୁସାରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଏହି ୭ ଜିଲ୍ଲାର ୧୩ ଲକ୍ଷ ୪୪ ହଜାର ୬୯୮ ଜଣ ବନ୍ୟା ପ୍ରଭାବିତ ହୋଇଛନ୍ତି। ମୋଟ ୭୬ଟି ବ୍ଲକ୍, ୫୦୫ଟି ଗ୍ରାମ ପଞ୍ଚାୟତ, ୧,୭୦୩ଟି ଗାଁ ଓ ୧୨ଟି ସହରାଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି।
ସୁରକ୍ଷା ଦୃଷ୍ଟିରୁ ୪ ଲକ୍ଷ ୮୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୮୦ଟି ରିଲିଫ୍ ଶିବିରରେ ରଖାଯାଇଛି। ଶିବିରଗୁଡ଼ିକରେ ପାନୀୟ ଜଳ, ପରିମଳ, ଆଲୋକ, ଚିକିତ୍ସା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ମାଗଣା ରୋଷେଇ କେନ୍ଦ୍ର ମାଧ୍ୟମରେ ପ୍ରାୟ ୪ ଲକ୍ଷ ୯୬ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହାସହ ୪,୭୬୫ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୧୨୬ଟି ଟିମ୍ ମୁତୟନ ହୋଇଛନ୍ତି। ଏଥିରେ ୩୨ ODRAF, ୮ NDRF, ୪୬ ଫାୟାର ସର୍ଭିସ୍ ଓ ୪୦ ପୋଲିସ/ସିଭିଲ୍ ଡିଫେନ୍ସ ଟିମ୍ ରହିଛି। ଏପର୍ଯ୍ୟନ୍ତ ୩୦,୩୦୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୫,୧୩୯ ଜଣଙ୍କୁ ଡଙ୍ଗା ଯୋଗେ ସ୍ଥାନାନ୍ତର କରାଯାଇଛି। ୪୯୨ଟି ବିଚ୍ଛିନ୍ନ ଗାଁରେ ମଧ୍ୟ ଉଦ୍ଧାର ଓ ସହାୟତା ପହଞ୍ଚିଛି।
ସ୍ୱାସ୍ଥ୍ୟସେବା ପାଇଁ ୯୩ଟି ମେଡିକାଲ ଟିମ୍ ୧୫୯ଟି ଶିବିର କରି ୧୧,୫୪୯ ଜଣଙ୍କୁ ଚିକିତ୍ସା ଯୋଗାଇଛନ୍ତି। ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୪୪ଟି ହସ୍ପିଟାଲରେ ପ୍ରସବ ହୋଇଛି। ପଶୁ ସମ୍ପଦର ସୁରକ୍ଷା ପାଇଁ ଭେଟେରିନାରୀ ଟିମ୍ ୧୫,୯୩୯ଟି ପଶୁଙ୍କୁ ଚିକିତ୍ସା କରିବା ସହ ୧,୪୦୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇଛନ୍ତି।
ଅନ୍ୟପକ୍ଷରେ, ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଏବେ ହ୍ରାସ ପାଉଥିବା ବେଳେ ଅଧିକାଂଶ ନଦୀ ବିପଦସଙ୍କେତ ତଳେ ରହିଛି। ତଥାପି ପରିସ୍ଥିତି ଉପରେ ନଜର ଜାରି ରହିଛି। ଜୀବନ ରକ୍ଷା, ପ୍ରଭାବିତ ପରିବାରଙ୍କୁ ସହାୟତା ଓ ଜରୁରୀ ସେବାର ପୁନରୁଦ୍ଧାରକୁ ପ୍ରାଥମିକତା ଦେଇ ରାଜ୍ୟରେ ସମନ୍ୱିତ ଭାବେ ଚାଲିଛି ବନ୍ୟା ମୁକାବିଲା ଅଭିଯାନ।