ଭଦ୍ରକ: ଭଦ୍ରକ ଜିଲ୍ଲାର ତାଳଗୋପବିନ୍ଧା ପଞ୍ଚାୟତରେ ନଦୀବନ୍ଧର ଘାଇ ଏବେ ଭୟଙ୍କର ରୂପ ନେଇଛି। ମାତ୍ର ଦୁଇ ଦିନ ମଧ୍ୟରେ ୪୦ ଫୁଟ୍ର ଘାଇ ବଢ଼ି ପ୍ରାୟ ୧୦୦ ଫୁଟ୍ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ବନ୍ୟା ଆଶଙ୍କା ବଢ଼ିଯାଇଛି।
ପ୍ରବଳ ଜଳସ୍ରୋତ ଯୋଗୁଁ ଘାଇ କ୍ରମାଗତ ଭାବେ ବଡ଼ ହେଉଥିବା ବେଳେ ଜଳସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରିଛି। ବିଭାଗର ଏସ୍ଡିଓ ଓ ଇଞ୍ଜିନିୟରମାନେ ଘଟଣାସ୍ଥଳରେ ରହି କାର୍ଯ୍ୟ ତଦାରଖ କରୁଛନ୍ତି।
ଏଥର ବନ୍ଧକୁ ସୁଦୃଢ଼ କରିବା ପାଇଁ ବାଉଁଶ ପରିବର୍ତ୍ତେ ଲୁହା ବିମ୍, ପାଇପ୍ ଓ ଟିନ୍ ପ୍ଲେଟ୍ ବ୍ୟବହାର କରାଯାଉଛି। ମାଟି ଭିତରକୁ ଲୁହା ପାଇପ୍ ପୋତି ଘାଇ ବନ୍ଦ କରିବାକୁ ଉଦ୍ୟମ ଚାଲିଛି।
ଅନ୍ୟପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ହଦଗଡ଼ ଡ୍ୟାମ୍ରୁ ଜଳ ନିଷ୍କାସନ ସାମୟିକ ଭାବେ ବନ୍ଦ କରାଯାଇଛି। ସେହିପରି ଦୁର୍ଗାପୁର ଏସ୍କେପ୍ରୁ ନାଳିଆ ନଦୀକୁ ଜଳ ଛାଡ଼ିବା ମଧ୍ୟ ସ୍ଥଗିତ ରଖାଯାଇଛି।
ତେବେ ଏହି ପଦକ୍ଷେପ ସତ୍ତ୍ୱେ ନାଳିଆ ନଦୀର ବନ୍ୟାଜଳ ତାଳଗୋପବିନ୍ଧା ପଞ୍ଚାୟତର ପ୍ରାୟ ୨୦ଟି ଗାଁକୁ ଜଳମଗ୍ନ କରିଛି। ଟିଆଡ଼ିସାହି, ମାଲିକସାହି, ମାତାଗଜପୁର, ବେହେରାସାହି, ହାଟନଗର, ଜେନାସାହି, କାହୁଣିଆକୁଳ, ତାଳପଦା, ଖଟୁଆସାହି, ସାମଲସାହି, ମକଦମସାହି, ପଦାସାହି, ମିରିପୁର ଓ ମାଙ୍କଡ଼ାକୋଳା ଭଳି ଅନେକ ଗାଁରେ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଘରୁ ବାହାରିବା ସମ୍ଭବ ହେଉନାହିଁ ଏବଂ ଶୁଖିଲା ଖାଦ୍ୟରେ ଦିନ କଟୁଛି। ସରକାରୀ ସହାୟତା ମିଳୁଥିଲେ ମଧ୍ୟ ଘାଇ ଆହୁରି ବଢ଼ୁଥିବାରୁ ଆଗାମୀ ଦିନରେ ପରିସ୍ଥିତି ଅଧିକ ଗୁରୁତର ହେବାର ଆଶଙ୍କା ରହିଛି।