କଟକ: ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିୟମିତ କାର୍ଯ୍ୟାଳୟ ଆସିବା, ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାରେ ଅଧିକ ସୁଧାର ଆଣିବା ଏବଂ ଏସ୍ଡିପିଓମାନେ ନିୟମିତ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରିବାକୁ ନୂତନ ଡିଜିପି ବିନୟତୋଷ ମିଶ୍ର ସମସ୍ତ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ବୈଠକରେ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଡିଜିପି ପୋଲିସ ଏବଂ ଜନସାଧାରଣଙ୍କ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିୟମିତ କାର୍ଯ୍ୟାଳୟ ଆସିବା, ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାରେ ଅଧିକ ସୁଧାର ଆଣିବା ଏବଂ ଏସ୍ଡିପିଓମାନେ ନିୟମିତ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଆଗାମୀ ଦିନରେ ଅନେକ ପର୍ବପର୍ବାଣୀ ଆସୁଛି । ଏହି ପର୍ବଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପାଳନ ପାଇଁ ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ । ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ ଏବଂ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ଗୋଷ୍ଠୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ, ବେଆଇନ ଗୋ-ଚାଲାଣ ଓ ବେଆଇନ ବାଣ ପ୍ରସ୍ତୁତି ରୋକିବା ପାଇଁ ଚେକିଂ ଓ ପାଟ୍ରୋଲିଂ ବୃଦ୍ଧି କରିବାକୁ କହିଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିୟମିତ ଓ କଡ଼ା ନଜର ରଖାଯିବ । ଏସ୍ପିଙ୍କୁ ସପ୍ତାହରେ ଥରେ ସାଇବର ଥାନା ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏଥିସହ ନିୟମିତ ଶାନ୍ତି କମିଟି ବୈଠକ, ଲୋକ ସମ୍ପର୍କ ବୃଦ୍ଧି ଏବଂ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଆଗୁଆ ରୋକିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଏସ୍ପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ଆଜିର ବୈଠକରେ ଆଧୁନିକୀକରଣ ଏଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ଓ ଶୃଙ୍ଖଳା ଏଡିଜିପି ସଞ୍ଜୟ କୁମାର, ମୁଖ୍ୟାଳୟ ଏଡିଜିପି ପ୍ରତୀକ ମହାନ୍ତି, ଏଚ୍ଆର୍ପିସି ମୁଖ୍ୟାଳୟ ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍. ପ୍ରବୀଣ କୁମାର, ଡିଆଇଜିପି (ଏସ୍ଟିଏଫ୍) କନୱର ବିଶାଲ ସିଂହ, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମୀନା, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।