ଭୁବନେଶ୍ୱର: ରାଜ୍ୟ ସରକାର ପୋଲିସ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟର ୬ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୦୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ହିମାଂଶୁ ଲାଲଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା ଏବଂ ସ୍ପେଶାଲ ଟାସ୍କ ଫୋର୍ସର ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି । ହିମାଂଶୁ ଲାଲ ବର୍ତ୍ତମାନ ଉତ୍ତରାଞ୍ଚଳ ପୋଲିସ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ତାଳଚେର ପୋଲିସ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତ୍ୟବ୍ରତ ଭୋଇ ଗୁଇନ୍ଦା ବିଭାଗର ଆଇଜି ଭାବେ ନୂତନ ନିଯୁକ୍ତି ପାଇଛନ୍ତି । ୨୦୦୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜୟ ନାରାୟଣ ପଙ୍କଜ ଦକ୍ଷିଣାଞ୍ଚଳ, ବ୍ରହ୍ମପୁର ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ଆଇଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଦକ୍ଷିଣାଞ୍ଚଳ ପୋଲିସ ଆଇଜି, ୨୦୦୭ ବ୍ୟାଚ୍ ଆଇପିଏସ୍ ନିତି ଶେଖରଙ୍କୁ ଏସପି ମୁଖ୍ୟାଳୟକୁ ଆଇଜି ଭାବେ ବଦଳି କରାଯାଇଛି ।
ପ୍ରୋଭିଜିନିଂ ଡିଆଇଜିପି ଚରଣ ସିଂହ ମୀନାଙ୍କୁ ଉତ୍ତରାଞ୍ଚଳ ପୋଲିସ ଡିଆଇଜିଭାବେ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଆସି ଓଡ଼ିଶା ଗୃହ ବିଭାଗରେ କାର୍ଯ୍ୟରତ ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କୁ ତାଳଚେର ରେଞ୍ଜ୍ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସପାଲ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।